ବାବାଜୀ ନାଟକ

ବାବାଜୀ ନାଟକ

ଶ୍ରୀ ଜଗନ୍ ମୋହନ୍‍ ଲାଲ୍‌

 

ପ୍ରଥମ ଅଙ୍କ

 

ରଙ୍ଗଭୂମି

-

ବାବୁ ସୁବଳ ପଟ୍ଟନାୟକଙ୍କ ବୈଠକ ଖାନା ।

 

 

(ବାବାଜୀଙ୍କର ପ୍ରବେଶ)

ବାବାଜୀ

-

ଜୟ ଜୟକାର ହେଉ ।

ବାବୁ

-

ଦଣ୍ଡବତ ମହାରାଜ (ପଞ୍ଚାଙ୍ଗ ପ୍ରଣାମ)

ବାବାଜୀ

-

ମଙ୍ଗଳ ହେଉ, ଈଶ୍ୱର ସଦା ସୁଖୀ ରଖନ୍ତୁ ।

ବାବୁ

-

ବସିବା ହେଉନ୍ତୁ । ଏହି ଚୌକିରେ ବସନ୍ତୁ । କୁଆଡ଼େ ଆସିବା ହେଲେ ମହାରାଜ ?

ବାବାଜୀ

-

ଆପଣଙ୍କ ଠାକୁ ଆସିଲେଇଁ ।

ବାବୁ

-

ଆପଣଙ୍କର ମଠ କୌଠାରେ ?

ବାବାଜୀ

-

ଆମର ମଠ ନାହିଁ ବାବା । ଘର ଛାଡ଼ିଲେଇଁ ମଠରୁ କି କାର୍ଯ୍ୟ, ଘର ଧନ୍ଦା ଓ ମଠ ଧନ୍ଦା ସମାନ ଅଟେ । ଯେଉଁ ସ୍ଥାନରେ ଆସନ କଲୁଁ ସେହି ଆମର ମଠ, ଆମେ ତ ଏକ ସ୍ଥାନରେ ଅନେକ ଦିନ ରହୁନା, ଦେଶ ଭ୍ରମଣରେ ଥାଉଁ । ଦୁଇଦିନ ହେଲା ଏଠାକୁ ଆସି ନଦୀକୂଳ ତୋଟାରେ ଆସନ କରିଛୁଁ । ଭୋଜନ ନ ମିଳିବାରୁ ଆପଣ ଠାକୁ ଆସିଗଲୁଁ ।

ବାବୁ

-

(ଦୁଇ ପଇସା ବଢ଼ାଇ) ନେବା ହେଉନ୍ତୁ ମହାରାଜ ।

ବାବାଜୀ

-

ପଇସା । ଆମେ ପଇସା ଭିକ୍ଷା କରୁନା । ଦ୍ୱାର ଦ୍ୱାର ପଇସା ମାଗି ବୁଲିଲେ ସେଇଥିରେ ଦିନ ଯିବ । ପୂଜା, ଧ୍ୟାନ, ଭଜନ ଏହିସବୁ କରିବୁ କେତେବେଳେ-? ପୁଣି ପଇସାରୁ ଲୋଭ ଜନ୍ମେ । ସାଧୁ ସନ୍ଥଙ୍କର ପଇସା କଉଡ଼ିରୁ କି ପ୍ରୟୋଜନ ? ଭୋଜନ ମିଳିଲେ ହେଲା । ଯେବେ ଆପଣଙ୍କର ଇଚ୍ଛା ହୁଏ ତେବେ ପୂର୍ଣ୍ଣ ଭୋଜନ ଦେବା ହେଉନ୍ତୁ ନଚେତ୍ ଆମେ ଆଉ କେହି ଦାତାକୁ ଦେଖିବା । ସେଥିପାଇଁ ଆମର ତାଦୃଶ ଚିନ୍ତା ନାହିଁ । ଈଶ୍ୱରଙ୍କ କୃପାରୁ କୌଣସି ରୂପେ ମିଳିଯିବ ।

ବାବୁ

-

ଆଚ୍ଛା ମହାରାଜ ! ଯତ୍‌କିଞ୍ଚିତ ଭୋଜନ ଦେବୁଁ । ଆପଣଙ୍କୁ ନ ଦବୁଁ ତ ଆଉ ଦବୁଁ କାହାକୁ ? ଆପଣଙ୍କ ତୁଲ୍ୟ ଧୀର ଓ ଜ୍ଞାନୀ ସାଧୁ ଆମେ କାହିଁ ଦେଖି ନାହୁଁ

ବାବାଜୀ

-

ନାହିଁ ବାବା, ଆମେ କି ସାଧୁ ? ଆମର କି ଜ୍ଞାନ ? ‘‘କୀଟସ୍ୟ କୀଟାୟତେ’’ ଆମେ ସାଧୁ ନାମର ଯୋଗ୍ୟ ନୋହୁଁ ।

 

 

 

ବାବୁ

-

ହଁ ଆପଣତ ଏପରି କହିବେ, ଆମେ ତ ଦେଖି ନାହୁଁ । ଇରେ ରାମା, ରାମା-

ରାମା

-

ଆଜ୍ଞା (ଭିତରେ ଥାଇ)

 

 

(ରାମାର ପ୍ରବେଶ)

ବାବୁ

-

ଇରେ ବାବାଜୀଙ୍କ ପାଇଁ ଗୋଟିଏ ସିଧା ସଜାଡ଼ି ଆଣ ।

 

 

(ରାମାର ପ୍ରସ୍ଥାନ)

ବାବୁ

-

ମହାରାଜ ! ତମାଖୁ ଖାଉନ୍ତୁ (ଚିଲମ ବଢ଼ାଇ) ନେବା ହେଉନ୍ତୁ, ଗଞ୍ଜା ଚାହି ?

ବାବାଜୀ

-

ଆମେ ତ ତମାଖୁ ଖାଉଁ ନା ବାବା ! ଗଞ୍ଜା କଣ ହବ ? ଚିଲମ ରଖନ୍ତୁ ! ଗଞ୍ଜା ଭାଙ୍ଗ ଆଦି ଆମର କିଛି ହୁଏ ନାହିଁ । ଭୋଜନ ନ କଲେ ଜୀବନ ନ ରହିବ ଏଥିପାଇଁ ଭୋଜନ ଆବଶ୍ୟକ । ନିଶା ପାଣିରୁ କି କାର୍ଯ୍ୟ ? ସେଥିରେ ମତି ଗତି ଠିକ୍ ରହେ ନାହିଁ ।

ବାବୁ

-

ମତି ଗତି ଠିକ୍ ରହେନା ? ତେବେ କିପରି ବୈରାଗୀମାନେ ନିଶା ଖାନ୍ତି? ଆହୁରି ଗୋଟିଏ ବଚନ ଅଛି ‘‘ଯୋଗୀ ଖାଓ୍ୟେ ଯୋଗ ଧ୍ୟାନ ଧରେ ହରିକେ ନାମ ଉଚାରନେକୁ ।’’

ବାବାଜୀ

-

ହଁ, ଏପରି କଥା ଅଛି । କିନ୍ତୁ ତାହା ନିଶାଖୋରଙ୍କ କଥା, ଶାସ୍ତ୍ରର ବଚନ ନୁହେଁ । ନିଶା ବଡ଼ ମନ୍ଦ, ତାହା ସ୍ପର୍ଶ କରିବାର ନୁହେଁ ।

ବାବୁ

-

ନା ନା ମହାରାଜ, ନିଶା ଏପରି ମନ୍ଦ ନୁହେଁ । ସେଥିରେ ଗୁଣ ଦୁର୍ଗୁଣ ଦୁହେଁ ଅଛନ୍ତି । ଅଧିକ ଖାଇବାକୁ ଅବଶ୍ୟ ଦୋଷ । କେବେ କେବେ ଅଳ୍ପ ଖାଇଲେ କିଛି ଦୋଷ ନାହିଁ, ବରଂ ଭଲ ହୁଏ । ମନ ମଗ୍ନ ହୋଇ ରହେ, ଯେତେ ବଡ଼ ଶୋକ ସନ୍ତାପ ଥାଉ ସବୁ ଭୁଲିଯାଏ । ନିଶାରେ ବଡ଼ ମଉଜ-।

ବାବାଜୀ

-

ହଁ ମଉଜ ତ ହୁଏ, ସେପରି ମଉଜରୁ ଆମର କି ପ୍ରୟୋଜନ ? ନିଶା ପାଇଁ ପଇସା ଲୋଡ଼ା ହବ । ପଇସା ପାଇଁ ଦ୍ୱାର ଦ୍ୱାର ବୁଲିବାକୁ ପଡ଼ିବ, ସେହି ଚିନ୍ତାରେ ଦିନ ଯିବ । ଭଗବାନଙ୍କୁ ଚିନ୍ତିବୁ କେତେବେଳେ ? ବଡ଼ ଲୋକମାନେ ମଉଜ ଖୋଜନ୍ତି, କିନ୍ତୁ ନିଶାରେ ଆଗେ ମଜା ପଛକୁ ବଡ଼ ବେମଜା । ସାରା ମଜା ଈଶ୍ୱର ଚିନ୍ତାରେ । ତେବେ ରୋଗ ପାଇଁ ଔଷଧସ୍ଥିତ ମାଦକ ଦ୍ରବ୍ୟ ବ୍ୟବହାର କରିବାର ତାଦୃଶ ଦୋଷ ହୋଇ ନ ପାରେ ।

 

 

(ରାମା ସିଧା ଘେନି ପ୍ରବେଶ)

ବାବୁ

-

ମହାରାଜ ! ସିଧା ନେବା ହେଉନ୍ତୁ ।

ବାବାଜୀ

-

ଆଚ୍ଛା ବାବା ଆନନ୍ଦ ହେଉ ମାତ୍ର ଏ ରୋଷେଇର ସାମଗ୍ରୀ ତ ପାକ କରିବାର ଆମକୁ ବଡ଼ କଠିଣ । ଆମ ସଙ୍ଗରେ ଜଣେ ବୈଷ୍ଣବ ଥିଲା । ତାକୁ ଆମେ ଶିକ୍ଷା ଦେଉଥିଲୁଁ ଓ ସେ ଆମର ରୋଷେଇ କରୁଥିଲା । ବର୍ତ୍ତମାନ ସେ ଆମ ସଙ୍ଗରେ ନାହିଁ ।

ବାବୁ

-

ତାକୁ କାହିଁକି ଛାଡ଼ି ଦେଲେ, ଆପଣଙ୍କୁ ବଡ଼ କଷ୍ଟ ହଉଥିବ ।

ବାବାଜୀ

-

ନାହିଁ ଆମର କି କଷ୍ଟ ? ନିର୍ବାହ କର୍ତ୍ତା ଭଗବାନ୍ । ମନୁଷ୍ୟର ସଙ୍ଗ ଚିରସ୍ଥାୟୀ ନୁହେଁ, କେବଳ ଧର୍ମଇ ଚିରକାଳର ସଙ୍ଗୀ । ଆପଣ ଏ ସିଧାକୁ ରଖନ୍ତୁ । ଠାକୁରଙ୍କ ପ୍ରସାଦ ମୁଠିଏ ହେଲେ ଭୋଜନ କରି ଭଜନ କରିବୁଁ ।

ବାବୁ

-

ମହାରାଜ ! ପ୍ରସାଦ ସମସ୍ତେ ସେବା କଲେଣି, ଆପଣଙ୍କ ସକାଶ ଆଉ ରୋଷେଇ ହେଲେ ହବ । (ରାମା ପ୍ରତି) ଏ ସିଧାକୁ ପୂଝାରିକୁ ଦେଇ ରୋଷେଇ କରିବା ପାଇଁ କହି ଦେ ।

ରାମା

-

ସେ ତ ଶୋଇବାକୁ ଯାଉଛି, ମୁଁ କହିଲା ମାତ୍ରକେ ଡେଇଁବ, ମୋ ଉପରକୁ କାମୁଡ଼ି ହବ ।

ବାବୁ

-

ଆଚ୍ଛା ରହ, ମୁଁ ତାକୁ ଡାକି କହି ଦେଉଛି । ପୂଝାରୀ ! ପୂଝାରୀ !

 

 

(ଆନନ୍ଦ ପଣ୍ଡା ପୂଝାରୀର ପ୍ରବେଶ)

ବାବୁ

-

ପୂଝାରୀ ! ଏ ସିଧା ନେଇ ଠାକୁର ଆଡ଼େ ରୋଷେଇ କର, ମହାରାଜ ଭୋଜନ କରିବେ, ଚଞ୍ଚଳ କରିବ ।

 

 

(ପୂଝାରୀ ସିଧା ଘେନି ପ୍ରସ୍ଥାନ)

ବାବୁ

-

ମହାରାଜ ! ରୋଷେଇ ହଉଁ ହଉଁ କିଞ୍ଚିତ ବିଳମ୍ୱ ହେବ, ଏଥି ମଧ୍ୟରେ ଭଜନ କରନ୍ତୁ, ଆମ୍ଭର କର୍ଣ୍ଣ ପବିତ୍ର ହେଉ ।

ବାବାଜୀ

-

ଆଚ୍ଛା ବାବା !

 

 

ଭଜନ-ରାଗ ଝିଝଂଟି - ତାଳ ଏକତାଲା ।

 

 

ମୋର ଦୀନବନ୍ଧୁ ଦୟାଲ ଅନ୍ୟ ନାହିଁ କେହି ।

 

 

ଅଖିଳ ଅନିତ୍ୟ ନାଶଶୀଳ, ଅବିନାଶୀ ସେହି ।

 

 

ଜଗତ ପିତା ଜଗତ ମାତା ଭକତ ଭାବଗ୍ରାହୀ ।

 

 

କରନ୍ତି ତ୍ରାଣ ପତିତ ପ୍ରାଣ ଭଜେ ତାଙ୍କୁ ଯେହି ।

ବାବୁ

-

ଆହା ! ଆପଣ ତ ଉତ୍ତମ ଭଜନ କରନ୍ତି, ବାଜା ହେଲେ ଆହୁରି ଭଲ ହୁଅନ୍ତା-। ଆଚ୍ଛା, ଆମେ ଜଣେ ବାବୁଙ୍କୁ ଡକେଇ ଆଣୁଚୁ, ସେ ବଜେଇବେ ଆପଣ ଗାଇବେ । ରାମା ! ଯଶୁବାବୁଙ୍କୁ ଡାକି ଆଣ ତ, କହିବୁ ଏହିକ୍ଷଣି ଆସିବେ ।

 

 

(ରାମର ପ୍ରସ୍ଥାନ ଓ ବାବୁ ଯଶୁ ଭଟ୍ଟାଚାର୍ଯ୍ୟଙ୍କର ପ୍ରବେଶ)

ବାବୁ

-

ଆସୁନ୍ ଭଟ୍ଟାଚାର୍ଯ୍ୟ ମହାଶୟ ଆସୁନ୍ । ପ୍ରାତ୍ ପ୍ରନାମ୍ ।

ଯଶୁ

-

ପ୍ରାତର୍ଜୟସ୍ତୁ । ଦୁପର୍ ବେଲାୟ ଜୋରତଲବି କେନ ?

ବାବୁ

-

ଏଇ ବାବାଜୀ ବେଶ୍ ଭଜନ କର୍ଚ୍ଚେନ, ଓଁର ଆହାରେର ଯୋଗାଡ଼ ହଚ୍ଚେ । ଏର ମଧ୍ୟେ ଗାନ କରା ଯାକ୍ । ଆପନି ବଜାବେନ୍, ଉନି ଗାଇବେନ୍ । ଇରେ ରାମା ! ତମାଖୁ ଆଣ, ତବଲା ଦେ । (ରାମା ତମାଖୁ ତବଲା ଦେଲାରୁ)

ବାବୁ

-

ଆଗେ ତମାକଟା ଖେୟେନିନ୍ । ପ୍ରତି ରବିବାର ପାଶା ଖେଲ ହୟ,ଏ ରବିବାର ପାଶା ବନ୍ଦ କରେ ଏଇ ଆମୋଦ୍ କରଯାକ୍ ।

ଯଶୁ

-

ମଦ୍ ନା ହେଲେ କି ଆମୋଦ୍ ହୟ । କାଲ ଆମୋଦର ଖୁବ୍ ହୟେ ଛିଲ, ଆପନି ଛିଲେନ୍ କୋଥାୟ ? ଶନିବାରେର ରାତ୍‌ଟା ବ୍ରିଥାୟ କାଟାଲେନ୍ ।

ବାବୁ

-

ସମ୍ପୂର୍ଣ୍ଣ ବ୍ରିଥା ଯାୟନାଇ, ଅଳ୍ପାଅଳ୍ପି କିଛୁ ହୟଚେ । ଓ ଶନିବାର କତକ ଗୁଲୋ ଜଡ଼ ହୟେ ବଡ଼ ଗୋଲ୍ କରଲେ, ଏତେ ଦୁର୍ନାମ ହୟ । ଚୁପ୍‌ଚାପ୍ ଯା କରାଯାୟ ତାଇ ଭାଲ । ଏଖନ ହୟ କେମନ କରେ, ଇନି ଯେ ଆଛେନ୍ ।

ଯଶୁ

-

ଥାକ୍ ଓ କି ଜାନେ, ବେଦେନାର ଶରବତ୍ ।

ବାବୁ

-

ଠିକ୍ ବଲେଚେନ୍ (ବାବାଜୀ ପ୍ରତି) ମହାରାଜ ! ଏ ବାବୁ ଖରାରେ ଆସିଛନ୍ତି, ଆଗେ ତାକୁ ଟିକିଏ ବେଦାନାର ଶରବତ୍ ଦେଉଁ । ରାମା ! (ଆଖିରେ ଠାରି) ଶରବତ୍ ବୋତଲ ଓ ଗିଲାସ ଦେ-। ଦାଣ୍ଡ ଦ୍ୱାର ଲଗେଇ ଦେଇ ଆ ।

 

 

(ରାମା ବୋତଲ ଓ ଗିଲାସ ଦେଲାରୁ, ବାବୁ ଗିଲାସରେ ସୁରା ଢ଼ାଳି)

ବାବୁ

-

ନିନ୍ ଭଟ୍ଟାଚାର୍ଯ୍ୟ ମହାଶୟ, ଶରବତ୍ ଖାନ୍ । ଆର ଦୁ ଡ଼ୋଜ ଲଗାତେ ହେବେ ।

ଯଶୁ

-

(ପାନ କରି) ଅଭିନୟ କାଲ୍‌କେର ଯେ ଏଖନୋ ବାକୀ ଆଛେ । ଆର ଖେଲେ ବାଜାତେ ପାରବ୍ ନା ।

ବାବୁ

-

ତବେ ବୋତଲଟା କି ଆମି ଏକାକୀ ନିକେଶ କରବ୍ ? ଆଚ୍ଛା (ପେଟରେ ହାତ ମାରି) ଆମର ପେଟ୍‌ଟା ଫେଁପେଁଚେ, କି କରି ବଲୁନ୍ ଦେଖି ।

ଯଶୁ

-

ଏଇ ଶରବତ୍ ବେଶ୍ କରେ ଖାନ୍, ଏଖନି ଭାଲ ହୟେ ଯାବେ ।

ବାବୁ

-

କେମନ୍ ! ଏତେ ଭାଲ ହୟେ ଯାବେ ? ତବେ ଖାଇ । (ବାବୁଙ୍କର ପୁନଃ ପୁନଃ ସୁରାପାନ)-

ଯଶୁ

-

(ତବଲା ନେଇ) ମହରାଜ ! ଭଜନ କିଜିଏ ।

 

 

ଭଜନ- ରାଗିଣୀ (ଜଙ୍ଗଲ ତାଳ ଠୁମରି)

 

 

 

 

 

ପତିତ ପାବନ ସତେ କି ଦର୍ଶନ କରିବ ଏ ପାପୀ ପାଦ ତୁମ୍ଭରି ।

 

 

ସେହି ଯେ ଚରଣ ଅମୃତ ପୂରଣ କୋଟି କୋଟି ପାପ ସନ୍ତାପହାରୀ ।

 

 

ମୋହରେ ଜଡ଼ିତ ହୋଇଛି ମୋ ଚିତ୍ତ ଜଟିଳ କୁଟୀଳ ଘୋର ସଂସାରୀ ।

 

 

ଉପାୟ ନାହିଁ ତ ତୁମରି ବ୍ୟତୀତ ରଖ ହେ ଅଧମ ଉପକାର କାରୀ ।

 

 

ଯେ ଇଚ୍ଛା ସେ ଦଣ୍ଡ ଦେଇ ପାପ ଖଣ୍ଡ କର ମୋତେ ତବ ସେବନକାରୀ ।

 

 

କରିଣ କରୁଣା ଏତିକି କାମନା ପୂର୍ଣ୍ଣକର ଶୁଣ ମୋର ଗୁହାରି ।

 

 

(ବାବୁଙ୍କର ଉନ୍ମତ୍ତ ଭଙ୍ଗୀ ଓ ନୃତ୍ୟ)

ଯଶୁ

-

ଏକ୍‌ଟୁ ଭାଲ କରେ ନାଚୁନ ନା ଆମି ଗତ୍ ବାଜାଇ ।

ବାବୁ

-

ହଁ । ବାବା ନାଚୁଚି, ରସ୍ ବାବା, ବାଇ ସେଜେନି ।

 

 

(ବାବୁ ବାଇବେଶ ହୋଇ ନୃତ୍ୟ ଓ ଚିତ୍କାର କରି ଭୂମିଗତ)

ବାବାଜୀ

-

(ସ୍ୱଗତ) ମୁହଁର କଥା ମୁହଁରେ ଅଛି । ଦେଖୁ ଦେଖୁ କଣ ହେଲା ! କି ଦୁଃଖର ବିଷୟ, ଏପରି ବ୍ୟକ୍ତିର ଏପରି ଆଚରଣ !

ଯଶୁ

-

ମହାରାଜ ! ବାବୁ ଘୁମାଗୟା । ହାମ ଯାତେ ହେଁ, ଆପ ଭୋଜନକୁ ଯାଓ । ପୂଜେରୀକୁ ବୋଲ୍ ଦେତେହେଁ । ପୂଜେରୀ, ପୂଜେରୀ !

 

 

(ଆନନ୍ଦ ପଣ୍ଡାର ପ୍ରବେଶ)

ଯଶୁ

-

ପୂଜେରୀ ! ମୁଁ ଯାଚି, ତୁ ବାବାଜୀକୁ ଖାଓ୍ୟାଇବୁ । ରାମା ! ବାବୁକୁ ଜାଗିଥିବୁ ।

ପୂଝାରୀ

-

ଆସ ମହାରାଜ, ଠାକୁର ପିଣ୍ଡାକୁ ଆସ ।

 

 

(ପ୍ରସ୍ଥାନ)

 

 

ଦ୍ୱିତୀୟ ଅଙ୍କ

 

ରଙ୍ଗଭୂମି

-

ବାବୁଙ୍କ ଠାକୁର ପିଣ୍ଡା

ପୂଝାରୀ

-

ମହାରାଜ ! ଏହିଠାରେ (ପିଣ୍ଡାର ଏକପାର୍ଶ୍ୱରେ) ବସ । (ଏହା କହି ଅଗ୍ରସର)

 

 

(ଦାମ ପିଣ୍ଡାର ଅନ୍ୟ ପାର୍ଶ୍ୱରେ ପ୍ରବେଶ)

ପୂଝାରୀ

-

ଦାମା ! ଏ ବାବାଜୀକୁ କୁଆଡ଼େ ତାନେ ରୋଷେଇ କରି ଖୋଇବି । ଆମ ବାବୁ ଯେ, ଯିଏ ଯାହା ମାଗିଲା କହିବ ‘‘ଦେ’’ । ଆମ ଦରମାହା ଦେଲା ବେଳକୁ ଖଟଖଟ, ପାଉନାବାଲା କୋଡ଼ିଏ ଥର ଦଉଡ଼ିଲେ ପାଇବାର ମୁସ୍କିଲ, ବାବାଜୀ ବେଳକୁ ଦାତା ଷେଣ୍ଢ ଓ ବଡ଼ଲୋକିରେ ବାକି ନାହିଁ; ଭଲା ଏ କୋଉ ରୀତି ? ଯେ ଟେକିଟାକି କହିଲ ସେ ନେ ଚାଲିଗଲା, ଆମେ ଜଳକାଙ୍କ ପରି ବସିଥିବୁଁ ! ସେ କଥା ଯା ହେଉ ଏଉଟା ଏତେବେଳକୁ କୁଆଡ଼ୁ ଆସିଲା ? ଓଳିକଯାକ ଖଟି ଖଟି ଶୋଇଥିଲି, ଏଉଟା ଆସି କଣ୍ଟକ ହେଲା । ରହ ତାକୁ ହୀନସ୍ତା କରି ମାରୁଚି-

ଦାମା

-

ଶୁଣିଲୁ ‘‘ସ୍ୱର୍ଗକୁ ନିଶୁଣି ନାହିଁ । ବଡ଼ ଲୋକକୁ ଉତ୍ତର ନାହିଁ’’ ସେମାନଙ୍କୁ ସବୁ ସାଜେ । ତୁ ଯେବେ ବାବାଜୀ ପାଇଁ ସିଧା ଆଣି ତାକୁ ଖାଇବାକୁ ନ ଦେବୁ, ବାବୁ ଶୁଣିଲେ ତୋର କି ଦଶା ହେବ, ଆଜି ତୋ କପାଳରେ ଗାଳି ଗୁଡ଼ିଏ ଅଛି ।

ପୁଝାରୀ

-

ବାବୁ ଆଉ ନାହାନ୍ତି ଯେ ଧନ ! ମଦରେ ମରିକି ଶୋଇଲେଣି, ଆଉ ଡର କୌକଥାକୁ ?

ଦାମା

-

ବୁଝିଲୁ, ବୈଷ୍ଣବ ଆହାରମୁଖା ହୋଇ ଆସିଚି, ଖାଇବାକୁ ନ ଦେଲେ ତାହାର କୋହ ତୋ ଉପରେ ପଡ଼ିଯିବ ।

ପୁଝାରୀ

-

ଉଃ, ଏପରି କେତେ ବାବାଜୀ ଦେଖିଚି । କେତେ ଜଣକୁ ହୀନସ୍ତା କରିଚି । ବ୍ରାହ୍ମଣ ଉପରେ କୁଆଡ଼େ ବଷ୍ଟମର କୋହ ପଡ଼ିବ ! ସେ ଯେମନ୍ତେ ମୋ ନିଦ ଭଙ୍ଗେଇଲା ସେମନ୍ତେ ମୋ କୋହ ତା ଉପରେ ନ ପଡ଼ିବ କି ? ଆଛା ରହ, ମୁଁ ଆଗେ ଟିକିଏ ରଙ୍ଗ କରେଁ ।

ଦାମା

-

ହଉ ବାବୁ, ତୋ ମନକୁ ଯା ଆସେ ତା କର, ତୋତେ କିଏ ପାରିବ ? ବାବୁଙ୍କୁ ତ ପାଠ ପଢ଼େଇ ଦେଉ, ଆମେ କି ଛାର !

ପୂଝାରୀ

-

ମହାରାଜ ! ଅନ୍ନ ଅଛି, ତିଅଣ ନାହିଁ । କଣ ଦେଇ ଖାଇବ, ଶୁକୁଆ ହବ ?

ବାବାଜୀ

-

ହଉ ବାବା, ଶୁଖା ରୁଖା ଯାହା ଅଛି ପାଇଦେବା ।

ପୂଝାରୀ

-

ଶୁଖା ରୁଖା କହୁ ନାହିଁ ଯେ-ଶୁକୁଆ ।

ବାବାଜୀ

-

ଶୁକୁଆ କଣ ବାବା, ଆମେ ତ କେବେ ଖାଇ ନାହୁଁ ।

ପୂଝାରୀ

-

ଶୁକୁଆ ଜାଣ ନା, ଆଉ ତେବେ କଣ ଜାଣ ? ମାଛର ଶୁକୁଆ ହୁଏ, ସମସ୍ତେ ଖାନ୍ତି । ଏବଂ ଅନେକ ବ୍ରାହ୍ମଣ ବଷ୍ଟମ ସୁଦ୍ଧା ନୁଚେଇ ଚୋରେଇ ପାଇ ଦେଉଛନ୍ତି ।

ବାବାଜୀ

-

ଆରେ ! ବୈଷ୍ଣମ ମାଛ ଶୁଖୁଆ ଖାନ୍ତି ? ଏତକ ଜାଣୁ ନା !

ପୂଝାରୀ

-

ଆଉ କଣ ସାଗୁଆତି ଖାଇବ ?

ବାବାଜୀ

-

ହଁ ତା ହବ, ସେଇ ହେଲେ ଆମର ଢେର୍ ।

ପୂଝାରୀ

-

( ଦାମା ପ୍ରତି ) ମଲା ! ଏକଣ କହୁଚି, ମାଛ ଖାଏ ନା ସାଗୁଆତି ଖାଏ ।

ଦାମା

-

ବୁଝି ପାରିଲା ନାହିଁ ପରା !

ପୂଝାରୀ

-

ନ ବୁଝିଲା ନାହିଁ ଭଲ ହେଲା, ଦୋଷ ତାରି ମୁଣ୍ଡରେ ରହିଲା ।

 

 

( ବାବାଜୀ ଆଗରେ ପୂଝାରୀ ପତ୍ର ପକାଇ ଦାମା ସହିତ ପ୍ରସ୍ଥାନ )

ବାବାଜୀ

-

ପୂଝାରୀ ବାବା ! ପତ୍ର ଦେଇ ଏତେବେଳ ଯାଏ କୁଆଡ଼େ ରହିଲ ? ଯେବେ କିଛି ନାହିଁ ତେବେ କହିଦିଅ ଆମେ ଚାଲିଯିବା ।

 

 

( ପୂଝାରୀ ଗୋଟିଏ ହାଣ୍ଡିରେ ପଲମ ଘୋଡ଼ାଇ ପ୍ରବେଶ )

ପୂଝାରୀ

-

ହେଇ ମହାରାଜ ! ଆଣିଲି ( ହାଣ୍ଡି ପତ୍ର ପାଖରେ ରଖି ) ମହାରାଜ ! ଏଥିରେ ଉତ୍ତମ ପ୍ରସାଦ ଅଛନ୍ତି, ଆପଣ ସ୍ୱହସ୍ତେ ପରଶି ସେବା କରନ୍ତୁ ।

ବାବାଜୀ

-

ଆଛା ବାବା ( ପଲମ କାଢ଼ନ୍ତେ ଗୋଟିଏ କୁକୁଡ଼ା ବାହାରିଲା, ବାବାଜୀ ଚମକି ଉଠି ) ଇଏ କଣରେ ବାବା !

ପୂଝାରୀ

-

ମହାରାଜ, ଆପଣ ସାଗୁଆତି ସ୍ୱୀକାର କରିବାରୁ ମୁଁ କୁକୁଡ଼ାଟିଏ ଗୋଟା ପଣେ ରୋଷ୍ଟ ( କବାବ ) କରି ଆଣିଥିଲି, ସେହିପରି ବାବୁ କେବେ କେବେ ଖାଆନ୍ତି-। ସେତ ଆପଣଙ୍କ ହାତ ଲାଗିଲା ମାତ୍ରକେ ପ୍ରାଣପାଇ ବଞ୍ଚି ଉଠିଲା, ମୋର କି ଦୋଷ ? ମହାରାଜ, ଆପଣଙ୍କର ଅପାର ମହିଁମା ! କୁକୁଡ଼ାକୁ ମାରି ରାନ୍ଧିଥିଲି, ସେ ପୁଣି ଜୀଇ ଉଠିଲା ! ଓହୋ ! ଏପରି ତ କେବେ ଦେଖା ନ ଥିଲା ।

 

 

( ରଘୁ ସିଂହର ପ୍ରବେଶ )

ବାବାଜୀ

-

ଆରେ ତୁ ସାଗ ତିଅଣ କହି ଜୀଅନ୍ତା କୁକୁଡ଼ାଟାଏ ଆଣିଦେଲୁ ପୁଣି ମିଥ୍ୟାକଥା ଗୁଡ଼ାଏ କହୁଚୁ, ଆହୁରି ଟାହୁଲି କରୁଚୁ ! କ୍ଷୁଧାର୍ତ୍ତକୁ ସନ୍ତେଇଲୁ ? ଆରେ ତୁତ ବଡ଼ ଅଜ୍ଞାନୀ !

ରଘୁ

-

ସତେ ପୂଝାରୀ, ତୁମେ କଣ କଲ, ଏହା କି ମଣିଷ କରେ ! କ୍ଷୁଧାର୍ତ୍ତ ସାଧୁକୁ ସନ୍ତେଇଲ ! ଓହୋ ଏଡ଼େ ଅଜ୍ଞାନୀ ! ତୁମେ ବ୍ରାହ୍ମଣଟିକି ? ତୁଛା ପଇତା ପକେଇ ବ୍ରାହ୍ମଣ, ନା ଧର୍ମ କର୍ମରେ ବ୍ରାହ୍ମଣ ? କଳିକାଳର ବ୍ରାହ୍ମଣଗୁଡ଼ାକ କଣ ହେଲେଣି ! ଧର୍ମ କର୍ମକୁ ମହତ ମର୍ଯ୍ୟାଦାକୁ ଟିକିଏ ଦୃଷ୍ଟି ନାହିଁ, ଗାଳି ମାଡ଼ ଖାଇ ବାରଦୁଆରେ ପତର ପକେଇଲେଣି, ବାର ଅନୀତି କଲେଣି ! ଠାକୁର ପିଣ୍ଡାକୁ କୌଠୁ କୁକୁଡ଼ାଟାଏ ଆଣିଲ ? ତୁମର ଜାତି ରହିଲାଟିକି ? ଏଥିରେ ଆଉ ଦେବତା ରହିବେଟିକି ?

ପୂଝାରୀ

-

ବାବୁ ଯେ କୁକୁଡ଼ା ପାଇ ଦିଅନ୍ତି, ମୁଁ ଛୁଇଁଲି ବୋଲି ଦୋଷ ହେଲା ? କୁକୁଡ଼ା ଯେ ରାନ୍ଧିବାକୁ ପଡ଼େ !

ରଘୁ

-

( କୁପିତ ହୋଇ ) କଣ କହିଲୁ ଫେର ତ କହ, ବାବୁ କୁକୁଡ଼ା ଖାନ୍ତି ? ମୁଁ କଣ ବାବୁଙ୍କୁ ଜାଣେ ନା ? ତାଙ୍କର ପୂଜାପାତି ଦାନ ଧ୍ୟାନ କେତେ, ବ୍ରାହ୍ମଣ ବୈଷ୍ଣବ ସମସ୍ତେ ତାଙ୍କର ପ୍ରଶଂସା କରନ୍ତି, ତୁ ତାଙ୍କୁ ନିନ୍ଦୁଚୁ ? ସେ କଣ ଇଂରେଜ ପଢ଼ା ବାବୁ କି ? ଏବେ ତ ସେମାନଙ୍କ ମଧ୍ୟରେ ପୁଣି କଲିକତାରେ କେତେ ମଦ ମାଉଁସ ଖାଉ ନାହାନ୍ତି, ଭାରୀ ଜ୍ଞାନୀ ଓ ଧର୍ମ୍ମୀ ହୋଇ ବାହାରିଚନ୍ତି-। ଏପରି କେବେ ଦେଖା ନ ଥିଲା, ତୋର ପରି ମୂର୍ଖ ଅଜ୍ଞାନୀ ପରା । ବାବୁଙ୍କର କେଉଁ ଗୁଣକୁ ତୁ ସରି କହିଲୁ, ସେ ଗୋଟାଏ ଅଧେ ଊଣା କଥା କଲେ ବୋଲି ତୁ ସେଇୟା କରିବୁ ? ଦେଖ ମହାରାଜ ! ଆପଣଙ୍କୁ ଏତେ ସନ୍ତେଇଲା ପୁଣି ବାବୁଙ୍କର ନିନ୍ଦା କରୁଚି, ଚାଲନ୍ତୁ ବାବୁଙ୍କୁ ଜଣେଇବା ।

ବାବାଜୀ

-

ନାହିଁ ବାବା, ବାବୁଙ୍କୁ ଜଣେଇବା ନାହିଁ । ବାବୁ ଶୁଣିଲେ ରାଗ ହେଇ ତାକୁ ଦଣ୍ଡିବେ । ବାବୁ ବାହାର କରିଦେବେ, ଗରିବ ବିଚରା ମରା ପଡ଼ିବ । ସେମାନେ ମୂର୍ଖ, ମୁନିବର କିଛି ଦୋଷ ଦେଖିଲେ ତାହା ଲୁଚେଇବା ଦୂରେ ଥାଉ ବଜାରରେ ବିକନ୍ତି ଓ ନିନ୍ଦା କରି ବୁଲନ୍ତି । ଆମେ ତାକୁ ବୁଝେଇ କହିଦେବା; ସେ ଏପରି ଦୁଷ୍କର୍ମ୍ମ ଆଉ କରିବ ନାହିଁ । ବାବୁଙ୍କୁ ଜଣେଇଲେ କଣ ହବ ? ବୁଝିଲ ପୂଝାରୀ ବାବା ! କ୍ଷୁଧାର୍ତ୍ତକୁ ସନ୍ତେଇବା, ମୁନିବର ନିନ୍ଦା କରିବା ଓ ମିଥ୍ୟା ବହିବା ବଡ଼ ଦୋଷ ଏବଂ ପାପ ଅଟେ । ଏଥିପାଇଁ ପରକାଳରେ ଦଣ୍ଡ ଭୋଗିବ । ଏପରି କୁକର୍ମ ଆଉ କେଭେ କରିବ ନାହିଁ । ବଡ଼ୁ ହବା ବେଳେ ‘‘ମିଥ୍ୟା ଭାଷଣଂ ନ କର୍ତ୍ତବ୍ୟଂ’’ ଯେ ପ୍ରତିଜ୍ଞା କରିଥିଲ ତହିଁକି ଦୃଷ୍ଟି ରଖ-। ସେତେବେଳର ଦଶ ପ୍ରତିଜ୍ଞା ନ ପାଳିଲେ ପ୍ରକୃତ ବ୍ରାହ୍ମଣ ହୋଇ ନ ପାରିବ-

ରଘୁ

-

( ଅଶ୍ରୁପୂର୍ଣ୍ଣ ଲୋଚନେ ) ଆହା ! କେଡ଼େ ଦୟାଳୁ କେଡ଼େ ବୋଧା ! ପୂଝାରୀ ! ତୁ କି ପୁରୁଷ ସଙ୍ଗରେ କି ବ୍ୟବହାର କଲୁ ରେ ! ତୋର ଶରୀର ଫାଟିଯିବରେ-! ( ବାବାଜୀ ପ୍ରତି ) ମହାରାଜ ! ମୋ ବସାରେ ଚରଣ ପଡ଼ିଲେ ପାକଶାକର ଉଦ୍‌ଯୋଗ କରି ଦିଅନ୍ତି ।

ବାବାଜୀ

-

ନାହିଁ ବାବା ! ପାକ କରିବା ତ ଆମକୁ ପର୍ବତ ପ୍ରାୟ ! ମଠକୁ ଯାଉଚେଇଁ ସେହିଠାରେ ମୁଠିଏ ପ୍ରସାଦ ପାଇବା । ତୁମେ ମନରେ କିଛି ଦୁଃଖ ନ କର । ଆନନ୍ଦ ରହ ବାବା ! ପୂଝାରୀ ବାବା-! ଦୁଃଖ ନ କରି ଆମ କଥାକୁ ଗୁରୁବଚନ ତୁଲ୍ୟ ମାନିବ । ଆଚ୍ଛା, ଯାଉଚେଇଁ । ମଙ୍ଗଳ ହେଉ-

 

 

( ବାବାଜୀଙ୍କର ପ୍ରସ୍ଥାନ )

ରଘୁ

-

ଦେଖିଲ ପୁଝାରୀ ! ରାଗ ଅହଙ୍କାର ଟିକିଏ ନାହିଁ । ତୁମକୁ ପୁଣି କଲ୍ୟାଣ କରିଗଲେ ।

ପୂଝାରୀ

-

ହଁ ହଁ ଅତି ଉତ୍ତମ ସାଧୁ, ଦେବତା ସମାନ ତ ! ତାଙ୍କୁ ଯା ମୁଁ ସନ୍ତେଇଲି ! ସେ ପତର ଉପରୁ ଉଠିଗଲେ, ବଡ଼ ଦୁଷ୍କର୍ମ କଲି । ମତେ କି କୁବୁଦ୍ଧି ଘଟିଲା ! ଏତେବେଳେ ମନ ବଡ଼ ବିକଳ ହଉଚି, ମୁଁ ଚଣ୍ଡାଳ କଣ କଲି, ମୋର ତ ଭଲ ଦଶା ନାହିଁ ! ( ସ୍ୱହସ୍ତେ ଚପେଟାଘାତ ଓ ଅଶ୍ରୁପାତ-)-

 

 

ତୃତୀୟ ଅଙ୍କ

 

ରଙ୍ଗ ଭୂମି

-

କସ୍ମିନ ମଠର ଦାଣ୍ଡ ଘର

 

 

(ବାବାଜୀର ପ୍ରବେଶ)

ବାବାଜୀ

-

ମଠରେ କେହି ଅଛ ବାବା !

 

 

( ବୀର ସିଂହର ପ୍ରବେଶ )

ବୀର

-

କଣ ମହାରାଜ ! ଦଣ୍ଡବତ ।

ବାବାଜୀ

-

ମଙ୍ଗଳ ହେଉ, ବାବା ଭୋଜନ ମାଗୁଚେଇଁ ।

ବୀର

-

ମହନ୍ତ ମହାରାଜ ପଲଙ୍କ ଲାଗି ହୋଇଛନ୍ତି, ଏତେବେଳେ ତାଙ୍କ ଛାମୁକୁ ଯାଇ ପାରିବି ନାହିଁ, ଅଧିକାରୀ ଆସୁଚନ୍ତି, ତାଙ୍କୁ ଭୋଜନ ମାଗିବ । ମହାରାଜ ! ମୁଁ ତ ମହନ୍ତଙ୍କ ଆଶା-ବରଦାର, ମୋ ଦେହି କଣ ହବ ?

 

 

( ଅଧିକାରୀଙ୍କ ପ୍ରବେଶ, ଝୋଲି ହାତରେ ନାମାବଳୀ ଦେହରେ, ତିଲକ ଛାପା ମସ୍ତକରେ )

ଅଧିକାରୀ

-

ଗୌରାଙ୍ଗ ହେ, ଗୌରାଙ୍ଗ ହେ ।

ବାବାଜୀ

-

ଜୟ ଜୟକାର ଅଧିକାରୀ ବାବା ! କ୍ଷୁଧାର୍ତ୍ତ ଅଭ୍ୟାଗତର କିଛି ଚର୍ଚ୍ଚା ହେବ-?

ଅଧିକାରୀ

-

( ମାଳତୀର ଆଗମନ ଦେଖି ) ମହାରାଜ ! ଦ୍ୱାରେ ବସ, ଭିତରକୁ କିପରି ଆସିଲ ?

ବାବାଜୀ

-

ଆଛା ବାବା ( ଦ୍ୱାରେ ବସିଲେ )

 

 

( ମାଳତୀର ପ୍ରବେଶ )

ଅଧିକାରୀ

-

ଆଜି ଏତେ ଡେରି ଡେରି କାହିଁକି ?

ମାଳତୀ

-

ନା, ମୁଁ କେତେବେଳୁ ଆସିଲିଣି ।

ଅଧିକାରୀ

-

କାହିଁ ମୁଁ ତ ତୋତେ ଦେଖି ନାହିଁ, କୋଠି ଥିଲୁ ?

ମାଳତୀ

-

( ହସି ହସି ) ମହନ୍ତଙ୍କ ପାଖରେ ଥିଲି ପରା, ଗୋଡ଼ ଘଷି ଦଉଥିଲି । ହେଇତି, ଏ ଶାଢ଼ୀ ଆଜି ମହନ୍ତ ଦେଲେ ( ଶାଢ଼ୀ ଅଞ୍ଚଳରୁ ବାହାର କରି ) ଆଛା ଶାଢ଼ୀ, ସାତଟଙ୍କାକୁ କିଣା ହୋଇଚି ।

ଅଧିକାରୀ

-

ଆଛା, ବେଶ୍ ଖୁସିର କଥା । ନୂଆ ଶାଢ଼ୀ ନ ପିନ୍ଧି ନୁଚେଇଚୁ କାହିଁକି ? ତୁ କଣ ଚୋରିଣୀ କି ?

ମାଳତୀ

-

ନାହିଁ ମ, ଆଜି ବାର ନୁହେଁ ପରା ! ପିନ୍ଧିବା ପାଇଁ ମହନ୍ତ କହୁ ନ ଥିଲେ କି-? ବାର ନ ଥିବାରୁ ପିନ୍ଧିଲି ନାହିଁ, ଗୁରୁବାର ଦିନ ପିନ୍ଧି ଆସିବି ।

ଅଧିକାରୀ

-

ହଉ ତେବେ, ରୋଷେଇ ଘର ଆଡ଼କୁ ଆ, ପ୍ରସାଦ ପାଇବୁ ।

ମାଳତୀ

-

ମୁଁ ଘରକୁ ଯାଉଚି, ଶାଢ଼ୀ ଘରେ ରଖି ଆସେଁ ।

ଅଧିକାରୀ

-

ମ, ତୋ ଶାଢ଼ୀ କିଏ ଛଡ଼େଇ ନଉଚି କି ? ପ୍ରସାଦ ଶୁଖିଯିବେ, ଆଗେ ପ୍ରସାଦ ପାଇବୁ ଆ, ପଛେ ଘରକୁ ଯିବୁ, ଏକା ନଟକେ କାମ ସାରିକିରି ଯା-

ମାଳତୀ

-

ତେବେ ପ୍ରସାଦ ଦିଅ ଘରକୁ ନେଇଯିବି । ମୁଁ ଅଭିକା ଖାଇବି ନାହିଁ ।

ଅଧିକାରୀ

-

କାହିଁକି କହନି ? ମୋ ରାଣଟି ସତ କହିବୁ ?

ମାଳତୀ

-

( ହେଟ ବଦନେ ) ଆଜି ମୁଁ ଗୋଟିଏ ଦୋଟି ପିଠା ଖାଇ ଆସିଚି, ପ୍ରସାଦ ପଛେ ପାଇବି-।

ଅଧିକାରୀ

-

ଏହି ସିନା ! ଆ ଅଳ୍ପ ମୁଠିଏ ଖାଇବୁ ଆଉ ମୁଠିଏ ତୋ ମା ପାଇଁ ନେଇଯିବୁ । ଆ ଆ ମୋ ରାଣ ।

ମାଳତୀ

-

ଚାଲ ଯାଉଚି, ଏତେ ରାଣ କାହିଁକି ପକଉଚ ?

ଅଧିକାରୀ

-

( ବୀର ପ୍ରତି ) ଆମେ ଯାଉଁ, ତୁ ବାବାଜୀକୁ କହିଦେବୁ ପଙ୍ଗତ ବଢ଼ିଲାଣି, ଆଉ କିଛି ମିଳିବ ନାହିଁ । ( ଅଧିକାରୀ ‘‘ଗୌରାଙ୍ଗ ହେ’’ ପୁନଃ ପୁନ ଉଚ୍ଚାରି ମାଳତୀ ସହିତ ପ୍ରସ୍ଥାନ )

ବୀର

-

( ସ୍ୱଗତଃ ) ଓହୋ, ଧର୍ମ ଉଠିଗଲା !

 

 

( ରାମ ଦାସର ପ୍ରବେଶ ଗଞ୍ଜା ଖାଇ ଖାଇ )

ବାବାଜୀ

-

( ରାମ ପ୍ରତି ) ମହାରାଜ ! ଅଧିକାରୀ ତ କିଛି ଉତ୍ତର ନ ଦେଇ ଚାଲି ଗଲେ, ଆମ କଥା କିଛି ହବ ?

ରାମ

-

( ଗଞ୍ଜା ଚିଲମ ବଢ଼ାଇ ) ନିଅ ମହାରାଜ !

ବାବାଜୀ

-

ଆମର ତା ହୁଏନା, ସେ ସବୁର ଆମେ କିଛି ଧାରୁ ନା ।

ରାମ

-

ଏସବୁ କିଛି ହୁଏ ନା ! ଆଉ ତେବେ କଣ ହୁଏ ? ଆଉ ତୁମେ କି ସାଧୁ ! ( ବୀର ସିଂହ ନିକଟକୁ ଆସି ) ଏ ବାବାଜୀ କିଛି ନୁହେଁ । ତୋରି ପରି ଉଲ୍ଲୁ ଜଣେ ।

ବୀର

-

ହଉ ଆମର ତା ସନ୍ମତ । ତୁମେ ଏ ବାବାଜୀ ପାଇଁ ମୁଠିଏ ପ୍ରସାଦର ଉଦ୍‌ଯୋଗ କରିଦିଅ । ଅଧିକାରୀ ମନା କଲେ, ତୁମେ ଭଲା ଦୟାକର । ଉଲ୍ଲୁ ବ୍ୟକ୍ତି ଦୟାର ପାତ୍ର, ଘୃଣାର ପାତ୍ର ନୁହେଁ ।

ରାମ

-

ସତ୍ୟ, କିନ୍ତୁ ଚାରି ପାଞ୍ଚଜଣ ବାଉରାଣୀ କଂସା ନେଇ ଆସି ବଗିଚାରେ ବସିଲେଣି, ସେଠାକୁ ହରି ଗୋବିନ୍ଦ ଦାସ ହେରିକା ଗଲେଣି । ସେମାନଙ୍କୁ ପ୍ରସାଦ ଦେଲା ଉତ୍ତାରେ କିଛି ବଳିଲେ ବାବାଜୀଙ୍କୁ ଆଣି ଦେବି । ସେମାନେ ମଠର ଆଶ୍ରିତ ଓ ସବୁ କାମରେ ହାଜର । ସେମାନଙ୍କ ପରି ମନ ଯୋଗେଇ କେହି ଖଟିବ ନାହିଁ, ସେମାନଙ୍କୁ ଆଗେ ନ ଦେଇ ଫାଲତୁ ବାବାଜୀକୁ କିଏ ଦବ ? ମୁଁ ଦୟା କଲେ କଣ ହବ ମୋ କଥା ତ କେହି ଶୁଣିବେ ନାହିଁ । ତୁ କିଛି ନ ଜାଣିଲା ପରି ଯେ କହୁଚୁ ।

 

 

( ରାମ ଦାସର ପ୍ରସ୍ଥାନ )

ବାବାଜୀ

-

ଆଶାଦାର ବାବା ! କିଛି ଆଶା ଅଛି ନା ନିରାଶ ହୋଇ ଯିବା ।

ବୀର

-

ବସନ୍ତୁ ମହାରାଜ ! ମୁଁ ଆପଣଙ୍କ ପାଇଁ ଉଦ୍ୟମ କରୁଛି ।

 

 

( ଜାମୁନୀ ବଷ୍ଟମାଣୀର ପ୍ରବେଶ-ଝୋଲୀ ହାତରେ )

ଜାମୁନୀ

-

ରାଧେ ରାଧେ ! ସିଂହେ, ଅଧିକାରୀ କାହାନ୍ତି ?

ବୀର

-

ଅଧିକାରୀ ରୋଷ ଘର ଆଡ଼େ ଅଛନ୍ତି ।

ଜାମୁନୀ

-

ଆଜି କଣ ହେଲା କି ମୋ ପ୍ରସାଦ ଏତେବେଳଯାଏ ପଠେଇ ଦେଲେ ନାହିଁ ? ଏ ବାବାଜୀଟା ଖାଇଲା କି?

ବୀର

-

ନା ତୋ ପ୍ରସାଦ ଅଛି । ବାବାଜୀକୁ କିଏ ପଚାରୁଚି ?

ଜାମୁନୀ

-

ଛିଆ କର ! ଏଇଟାକୁ ବସି ପଚାରିବ ! ଶୁଖିଲା ମୁହଁଟାଏ, ପ୍ରେମ ଭାବ କିଛି ନାହିଁ ।

ବୀର

-

ହଁ, ଝୋଲୀ ନାହିଁ ପ୍ରେମ କାହୁଁ ଜାଣିବ ?

ଜାମୁନୀ

-

( ହସି ହସି ) ଦୂର ! ତୋର ସବୁ ବେଳେ ଏଇ କଥା ନ ଯାଏ । ତୋ ମୁହଁରେ ଯେବେ ପୋକ ନ ପଡ଼ିବ ।

ବୀର

-

କି ପୋକ, ଝୋଲରୀ ପ୍ରେମ ପୋକ ?

ଜାମୁନୀ

-

କଣ ପାପ କଥା ଗୁଡ଼ାକ କହୁ ! କୃଷ୍ଣ କୃଷ୍ଣ କୃଷ୍ଣ ।

ବୀର

-

‘‘ହାଣ୍ଡିରେ ଖାଏ, ଗୋଡ଼ରେ ପଡ଼ିଲେ ଗାଧୋଇ ଯାଏ’’ ।

ଜାମୁନୀ

-

( ହସି ହସି ) ଏବେ କେତେ ରଙ୍ଗରେ କଥା କହି ଆସିଲାଣି ! ହଉ ହଉ, ଆଖଉ ଆଖଉ ପାଖେଇବୁ ଯେ ।

ବୀର

-

ମୋଠି ସେ ପାଠ ନାହିଁ, ଯା ଯା, ଅଧିକାରୀ ପାଖକୁ ଯା, ପ୍ରସାଦ ପାଇବୁ । ( ଜାମୁନୀ ବିରସ ବଦନେ ରାଧେ ରାଧେ ଉଚ୍ଚାରି ରୋଷ ଘରକୁ ଗମନ )

ବାବାଜୀ

-

ଆଶାଦାର ବାବା ! ଆଉ କେତେ ବିଳମ୍ବ ?

ବୀର

-

ଟିକିଏ ରୁହ ମହାରାଜ ! ମୁଁ ଯାଇଁ ମହନ୍ତ ମହାରାଜଙ୍କୁ ଜଣାଏଁ ।

 

 

( ବୀର ସିଂହର ପ୍ରସ୍ଥାନ । ମହନ୍ତ ଝୋଲ୍ୟ ଘେନି ବୀର ସହିତ ପ୍ରବେଶ )

ମହନ୍ତ

-

( ବୀର ପ୍ରତି ) ବାବାଜୀଟାଏ ! ତୁ କିପରି କହିଲୁ ଜଣେ ଉତ୍ତମ ବଷ୍ଟମାଣୀ ଖାଇବାକୁ ମାଗୁଚି ?

ବୀର

-

ନାହିଁ ମହାରାଜ ! ବଷ୍ଟମାଣୀ କହି ନାହିଁ । ମୁଁ ଜଣାଇଲି ଜଣେ ଉତ୍ତମ ବଷ୍ଟମ ଆସି ଖାଇବାକୁ ମାଗୁଚି ।

ମହନ୍ତ

-

ଆମକୁ ବଷ୍ଟମାଣୀ ପରି ଶୁଭିଲା । ବୀର, ତୁ ଆମକୁ ତୁଛାକୁ ଦଉଡ଼େଇଲୁ ? ହର୍ଷ ବିଷାଦ କରିଦେଲୁ ? ଆଣ ଭଲ କରି ଚିଲମେ ଗଞ୍ଜା ସାଜ୍ । ଗୁଲାବ ପାଣିରେ ଗଞ୍ଜା ମଳିବୁ । ଆଛା ମସଲା ଦେଇ ଭାଙ୍ଗ ଘୋଟ୍ । ହରିଦାସକୁ କହି ଦେ, ଜଳଖିଆ ପାଇଁ ସର ଓ ମୋହନ ଭୋଗ ଚଞ୍ଚଳ କରିବ । ଚାରିଟା ବେଳେ ଓକିଲ ବସାକୁ ଯିବା । ବାବାଜୀକୁ ମନା କରି ଦେ, ଏତେ କୁଆଡ଼ୁ ଆସୁଚନ୍ତି ? ରଖିଦେବେ ନାହିଁ ।

ବୀର

-

ଆଛା ମହାରାଜ ! ସବୁ କରୁଚି, ପଲଙ୍କକୁ ଯିବା ହେଉନ୍ତୁ ।

 

 

( ମହନ୍ତଙ୍କ ପ୍ରସ୍ଥାନ । ରାମଦାସର ପ୍ରବେଶ ଗଞ୍ଜା ମଳି ମଳି )

ବୀର

-

ବାବାଜୀ ପାଇଁ ପ୍ରସାଦ ମୁଠିଏ ହେଲା ନା ?

ରାମ

-

ନା, ହୋଇ ପାରିଲା ନାହିଁ । ସେମାନଙ୍କୁ ତ ପ୍ରସାଦ ଅଣ୍ଟିଲା ନାହିଁ । ଏବେ କଣ ଆଉ ଭୋଗ ରାଗ ଅଛି ! ପୁଣି କାଲିଠାରୁ ସେରେ ଚାଉଳ ଉଣା ହୋଇଚି, ଠାକୁରଙ୍କ ପେଟ କାଟ, ଅଭ୍ୟାଗତକୁ କିଏ ପଚାରେ ? ଗଞ୍ଜା ଯେତେ ଚାହଁ ମୁଁ ଦେଇପାରେଁ, ସେତ ତଦ୍‌ଯୋଗ୍ୟ ନୁହେଁ । ଆମକୁ ଗଞ୍ଜା ଅଫିମ ମିଳିଲେ, ଅନ୍ନ ହେଲେ କେତେ ନ ହେଲେ କେତେ ? ତୁ ସେ ସବୁର ମାହାତ୍ମ୍ୟ କଣ ବୁଝିବୁ-?

 

 

( ରାମ ଦାସର ପ୍ରସ୍ଥାନ )

ବୀର

-

( ବାବାଜୀ ପ୍ରତି ) ମହାରାଜ ! ପ୍ରସାଦ ନାହିଁ, ମୁଁ ବଡ଼ ବୁଦ୍ଧି ବୁଡ଼ିଲି, ଅକାରଣେ ଆପଣଙ୍କୁ ଅଟକାଇଲି-। ମୋ ଦୋଷ କ୍ଷମା କରିବା ହେବ । ମୋଠି ପଇସାଟିଏ ଅଛି ଅଙ୍ଗିକାର କଲେ ଦିଅନ୍ତି-।

ବାବାଜୀ

-

ନାହିଁ ବାବା, ତୋର କି ଦୋଷ ? ତୁ ଅଭ୍ୟାଗତ ପାଇଁ ଅନେକ ଯତ୍ନ କଲୁ । ଏଥି ମଧ୍ୟରେ ତୁହି ଜଣେ ମନୁଷ୍ୟ, ଆଉ ସମସ୍ତେ ଅମନୁଷ୍ୟ । ଅହୋ ! କି ଦୁରାଚାର ! ମଠରେ ଏପରି ବ୍ୟବହାର ! ତୋ ପଇସା ଥାଉ, ତୋ ପ୍ରତି ଆମେ ଅତି ସନ୍ତୁଷ୍ଟ । ଏ ସ୍ଥାନ ତୋର ଯୋଗ୍ୟ ନୁହେଁ ।

ବୀର

-

କଣ କରିବି ମହାରାଜ ! ପେଟ ପାଇଁ ଏଠାରେ ପଡ଼ିଚି । ଆମ କଥା ଯେ କହିଲ, ଆମେ ଦୁଃଖୀ ଗୃହିଲୋକ; ପିଲା ବାଳକଙ୍କ ଚିନ୍ତାରେ ଦିନ ଯାଏ । ସେମାନଙ୍କର ତ ସେ ଚିନ୍ତା ନାହିଁ । ‘‘ପୋଲାରେ ଖାଇ ମେଲାରେ ଗଡ଼ଗଡ଼ାଉଛନ୍ତି, ମନ ଇଛା ମଉଜ କରୁଛନ୍ତି’’ । ଏଇଥି ପାଇଁ ତ ସେମାନଙ୍କର ବାବାଜୀ ହବାର ଭାବ ଭକ୍ତି କିଛି ନାହିଁ, ପୁଣି ଗୋଟିଏ ଆଚମ୍ବିତ କଥା ଏହି ଯେ କେହି କେହି ଝୋଲୀଧାରୀ କହନ୍ତି ଗୌରାଙ୍ଗ ମତରେ ‘‘ସ୍ୱକୀୟା ପରକୀୟା’’ର ବିଧି ଅଛି । ପରକୀୟା ନ ହେଲେ ପ୍ରେମ ଉପୁଜିବ ନାହିଁ ମହାରାଜ ! ଏହା କଣ ସତ ?

ବାବାଜୀ

-

ନା ନା, ଏହା କିପରି ହୋଇପାରେ ? ମହାତ୍ମା ଚୈତନ୍ୟଙ୍କର ଅନ୍ୟ ନାମ ଗୌରାଙ୍ଗ, ସେ ପ୍ରେମ ଧର୍ମ ପ୍ରଚାର କରିଚନ୍ତି । ତାଙ୍କ ତୁଲ୍ୟ ଈଶ୍ୱର ପ୍ରେମୀ ଅନ୍ୟ କେହି ହବାର ବିରଳ କିନ୍ତୁ ତାଙ୍କର ତ ପରକୀୟା ନ ଥିଲା, ବରଂ ସେ ସ୍ତ୍ରୀ ସମ୍ପର୍କ ବିବର୍ଜିତ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ । ପରକୀୟା ବିନା ତାଙ୍କର କିପରି ପ୍ରେମ ଉପୁଜିଲା ? ପରକୀୟା ମତଟି କେତେକ ଲମ୍ପଟ ଗୋସ୍ୱାମୀଙ୍କର ସ୍ୱକଳ୍ପିତ ମତ ଅଟଇ । ତାହା ଶାସ୍ତ୍ରୋକ୍ତ କିମ୍ବା ଚୈତନ୍ୟଙ୍କର ମତ ନୁହେଁ । ପରକୀୟା ମହାପାପ ଓ ପାପରୁ ପବିତ୍ର ପ୍ରେମ ଉପୁଜି ନ ପାରେ । ତୁ ଏଥିରେ ମତି ଦେବୁ ନାହିଁ ବାବା । ଆଉ ଝୋଲା ଯେ ଦେଖୁଚୁ ଏଥିକୁ ତପ ଜପ ଭକ୍ତି ପୂର୍ବକ ଗୋପନରେ କରିବାର ଶାସ୍ତ୍ରରେ ଲେଖେ, କଥାରେ କହନ୍ତି ‘‘ଏ ହାତ ପୁଣ୍ୟ ଯେପରି ସେ ହାତ ନ ଜାଣେ’’ । ଝୋଲୀ ଘେନି ସକଳ ସମୟରେ, ସକଳ ସ୍ଥାନରେ ବୁଲିବା ଏଥିରେ ବିପରୀତ ଅଟେ, ତାହା କେବଳ ଲୋକ ଦେଖାଣି । ସେଥିରୁ କି ଫଳ ‘‘ମନରେ ନାହିଁ ତ ମାଳିରେ ନାହିଁ । ମାଳି ଭଜି ଭଜି ପାଇବୁ କାହିଁ’’ ? ମନଇ ମୂଳ । ‘‘ରାମ ନାମ୍ ସବ୍ କୋହି କହେ ଠକ୍ ଠାକୁର ଆଓର ଚୋର-। ବିନା ପ୍ରେମ୍‌ସେ ରିଝେ ନହି ତୁଲସୀ ନନ୍ଦକିଶୋର ।’’ ଆହୁରି ଏକ ଦୋହାରେ କହିଚନ୍ତି - ‘‘ମନକା ଫେରତ ଜନମ୍ ଗୟା ନ ଆୟା ମନକା ଫେର୍ । କରକା ମନ୍‌କା ଛୋଡ଼୍ କର୍ ମନକା ମନ୍‌କା ଫେର୍’’ । ଏଥିର ଅର୍ଥ ବୁଝି ପାରିଲୁ ନାହିଁ ପରା ! ମାଳି ଫେରାଉ ଫେରାଉ ଜନ୍ମ ଗଲା କିନ୍ତୁ ମନର ଫେର ନ ଗଲା; ଅତଏବ୍ ହାତର ମାଳି ଛାଡ଼ି ମନର ମାଳି ଜପ ।

ବୀର

-

ଠିକ୍ କଥା ମହାରାଜ ! ଏ ବିଷୟରେ ମୋର ବଡ଼ ସଂଶୟ ଥିଲା, ଆଜି ଆପଣଙ୍କ ଯୋଗେ ତାହା ଦୂର ହେଲା । ଆଜି ବଡ଼ ଜ୍ଞାନ ପାଇଲି, ଧନ୍ୟ ଆପଣଙ୍କୁ ! ଜଣେ ସାଧୁ ଆପଣଙ୍କୁ ଦେଖିଲି, ବର୍ତ୍ତମାନ ଆପଣ ଯିବା ହେଉନ୍ତୁ ମୁଁ କାମକୁ ଯାଉଚି ( ଭୂମିଷ୍ଟ ପ୍ରଣାମ ) ।

ବାବାଜୀ

-

ମଙ୍ଗଳ ହଉ ବାବା, ତୋର ଏହିପରି ସୁମତି ଥାଉ ।

 

 

[ ପ୍ରସ୍ଥାନ ]

 

 

ଚତୁର୍ଥ ଅଙ୍କ

 

ରଙ୍ଗଭୂମି

-

ନଦୀ କୂଳସ୍ଥ ତୋଟା

 

 

( ଜଣେ ମଦତୀ ଚୋରର ପ୍ରବେଶ )

ଚୋର

-

( ସ୍ୱଗତ ) ବାଃ କି ସୁନ୍ଦର ମୃଗଛାଲଟିଏ ପଡ଼ିଚି । କେହି ବାବାଜୀର ହବ ପରା । ଯାହାର ହଉ ‘ଅଜଗରକୁ ଦାତା ରାମ’’ ମୋର ଚାରି ଦିନର ମଦତ ଚଳିଯିବ ।

 

 

(ଚୋର ମୃଗ ଛାଲ ନେଇଯିବା ସମୟରେ ବାବାଜୀଙ୍କର ପ୍ରବେଶ । ଚୋର ତାଙ୍କୁ ଦେଖି ଛାଲ ଫିଙ୍ଗି ପଳାୟନ)

ବାବାଜୀ

-

ଆରେ ବାବା ! ନେଇଥିଲୁ ତ, ଫୋପାଡ଼ି ଦେଇ ଯାଉଚୁ କାହିଁକି ? ତୋର ସେଥିରେ ଲୋଭ ଜନ୍ମିଚି, ଯା ନେଇ ଯା, କିଛି ଭୟ ନାହିଁ । ଆମେ ତ ତାହା ଆଉ ନବା ନାହିଁ, ତୁ ନେଇ ଯା । ( ଚୋର ଆନନ୍ଦିତ ହୋଇ ଛାଲ ଘେନି ପଳାଇଲା ଓ ବାବାଜୀ ତଳେ ବସି ଧ୍ୟାନ ଭଜନ କଲେ । ସନ୍ଧ୍ୟା ସମୟରେ ଜେମୀ ଓ ରାଧୀ ପ୍ରବେଶ ହୋଇ ଫଳ ପୁଷ୍ପ ପୂର୍ଣ୍ଣ ଡାଲାଟିଏ ବାବାଜିଙ୍କୁ ଭେଟି ଓଲଗି ହେଲାରୁ )

ବାବାଜୀ

-

ମଙ୍ଗଳ ହଉ ମାତା, ତୁମେମାନେ କୁଆଡ଼େ ଆସିଲ ?

ଜେମୀ

-

ଆପଣଙ୍କ ଚରଣ ସେବାକୁ ଆସିଲୁଁ ।

ବାବାଜୀ

-

ତୁମେମାନେ କିଏ ?

ଜେମୀ

-

ଆମେ ମଙ୍ଗତ ଜନ, ସଙ୍ଗୀତ ବ୍ୟବସାୟ କରୁଁ ।

ବାବାଜୀ

-

ତୁମେ ସଙ୍ଗୀତ ଜାଣ, ଆଛା ଗୋଟିଏ ଭଜନ ଗାଇଲ ।

ଜେମୀ ଓ ରାଧୀ

-

ହଉ ମହାରାଜ ।

 

 

ଭଜନ -ରାଗିଣୀ ସିନ୍ଧୁ ତାଳ ଆଡ଼ ତାଳ ( ଧମାର )

 

 

ବିଶ୍ୱପତି । କି ଦେଇ ତୋଷିବି ତୁମ୍ଭ ମତି ହେ ।।

 

 

ଯେଣିକି କରଇ ମୁହିଁ ନିରୀକ୍ଷଣ,

 

 

ତେଣେ ଦେଖେଁ କିଛି ନାହିଁ ମୋର ଧନ ।

 

 

ଅନ୍ନଜଳ ଫଳ ଫୁଲ ଜନ୍ତୁ ଜନ-ଅଟଇ ତୁମ୍ଭର କୀର୍ତ୍ତି ହେ ।।

 

 

 

 

 

ଇଛିଚି ତୁମ୍ଭରି ଧନରୁ ଯେ ମନ,

 

 

କରିବି ତୁମ୍ଭର ପାଦେ ପୁନର୍ଦ୍ଦାନ,

 

 

ପାପେ ଅପବିତ୍ର ହୋଇଚି ବୋଲିଣ-ନବାର କରୁଛି ସ୍ତୁତି ହେ ।।

 

 

 

 

 

କରୁଣା ସାଗର ନାମ ଯେ ତୁମ୍ଭର,

 

 

ଏ ପାମର ପ୍ରତି ବାରେ କୃପାକର,

 

 

ପବିତ୍ର କରିଣ ଘେନ ଦାନ ମୋର-ହେଉ ଏ ପାପୀର ଗତି ହେ ।।

 

 

 

ବାବାଜୀ

-

ଆଛା ଗାଇଲ, ଆମେ ସନ୍ତୁଷ୍ଟ ହେଲୁଁ । ତୁମେମାନେ କାହିଁକି ଆସିଚ କହନି-?

ଜେମୀ

-

ମହାରାଜ ! ଇଏ ( ରାଧୀ ) ବେରାମ ଅଛି ସେଥିପାଇଁ ଆସିଚୁଁ ।

ବାବାଜୀ

-

ଆମେ ତ ବଇଦ ନୋହୁଁ, ବଇଦଠାକୁ ଯାଇଁ ଉତ୍ତମ ଚିକିତ୍ସା କର, ଅବଶ୍ୟ ଆରୋଗ୍ୟ ଲଭିବ ।

ଜେମୀ

-

ନାହିଁ, ଚିକିତ୍ସାରେ କଣ ହବ, ସେପରି ଭଲ ବଇଦ କାହାନ୍ତି ଓ ତହିଁକି ଆମର କଉଡ଼ି ବଳ କାହିଁ ? ଆପଣଙ୍କର ଆଜ୍ଞା ହେଲେ ତ ରୋଗ ଏହିଛୁଣି ଛାଡ଼ି ପଳେଇବ ।

ବାବାଜୀ

-

ଯଦି ଭଲ ବଇଦ ନାହାନ୍ତି ତେବେ ଡାକ୍ତରଠାକୁ ଯାଅ । ଡାକ୍ତର ଅତି ଉତ୍ତମ ଚିକିତ୍ସା କରନ୍ତି । ଆମ ଆଜ୍ଞାରେ ରୋଗ କିପରି ଛାଡ଼ି ପଳେଇବ ? ଏହାତ ଅତି ଅସମ୍ଭବ ।

ଜେମୀ

-

କିଛି ଅସମ୍ଭବ ନୁହେଁ, ଆପଣଙ୍କର ମହିମାରେ ସବୁ ହୋଇପାରେ ।

ବାବାଜୀ

-

ଆମର ମହିମା ! ଆମେ ତ ମନୁଷ୍ୟ ମାତ୍ର ! ଆମର କି ମହିମା ! ମହିମା କେବଳ ପରମେଶ୍ୱରଙ୍କର । ଦେଖ ତାଙ୍କର ମହିମାରେ ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ର ଓ ଅସଂଖ୍ୟ ଜୀବ ସୃଷ୍ଟି ହୋଇଚନ୍ତି । ମନୁଷ୍ୟ ତ ଗୋଟିଏ ଘାସ ଗଛ ସର୍ଜନା କରି ନ ପାରେ ।

ଜେମୀ

-

ଆପଣତ ଆମ ପରି ମନୁଷ୍ୟ ନୁହଁନ୍ତି, ଆପଣ ସିଦ୍ଧ ପୁରୁଷ, -ସାଧୁ । ଆପଣଙ୍କ ପରି ସାଧୁଙ୍କର କରଣୀ କାଟେ ।

ବାବାଜୀ

-

ଆମେ କି ସିଦ୍ଧ ପୁରୁଷ, ଆମେ କି ସାଧୁ ! କେହି ସିଦ୍ଧ ପୁରୁଷ ହେଲେ ମଧ୍ୟ ତାହାର ଅଲୌକିକ ମହିମା କିପରି ହବ ?

ଜେମୀ

-

ନା ମହାରାଜ ! ହୁଏ, ଆଉ ଯାହା କଥା ଯେପରି । ଆପଣଙ୍କ କଥା ଯାହା ଶୁଣିଛି, ତାହା ଅତି ଚମତ୍କାର ।

ବାବାଜୀ

-

କଣ ଶୁଣିଚ କହନି ।

ଜେମା

-

ମହାରାଜ ! ଆପଣ ଆଜି ସୁବଳ ବାବୁଙ୍କ ବସାକୁ ଯାଇଥିଲେ, ବାବୁ ଆପଣଙ୍କର ବଡ଼ ସମ୍ମାନ କଲେ । ତାଙ୍କ ପୂଝାରୀ ଦୁଷ୍ଟ ଓ ଗୁଣୀ ଅଟେ । ସେ ଆପଣଙ୍କୁ ତଡ଼ିବା ପାଇଁ ଗୋଟିଏ ହାଣ୍ଡିରେ ରନ୍ଧା ମାଉଁସ ପୁରେଇ ପଲମ ଘୋଡ଼େଇ ଆପଣଙ୍କୁ ଆଣି ଦେଲା ଓ କହିଲା ଏଥିରେ ପ୍ରସାଦ ଅଛି ସେବା କରନ୍ତୁ । ଆପଣତ ସର୍ବଜ୍ଞ, ତାହା ଜାଣିପାରି କହିଲେ ଏଥିରେ ଯାହା ଅଛି ତାହା ଆମ ଖାଇବାର ନୁହେଁ ତାହା ତୋତେ ଖାଇବ । ଏହା କହି ପଲମ କାଢ଼ି ଦିଅନ୍ତେ ସେଥିରୁ କେଡ଼େ ବଡ଼ କୁକୁଡ଼ାଟିଏ ବାହାରି ପୂଝାରୀକୁ ଏପରି ଖୁମ୍ପିଲା ଯେ, ସେ ଛଟପଟ ହୋଇ, ରଡ଼ି ଛାଡ଼ିଲା । ତାହାର ମନ୍ତ୍ର ଯନ୍ତ୍ର କିଛି କାଟିଲା ନାହିଁ । ସେ ଯହୁଁ ଦୋଷ ମାନି ଆପଣା ଗାଲରେ ଚଟକଣା ଖାଇଲା ତହୁଁ ଆପଣ ତାକୁ କଲ୍ୟାଣ କଲେ, ସେ ଥୟ ହେଲା । କୁକୁଡ଼ା କୁଆଡ଼େ ଉଭେଇ ଗଲା ।

ବାବାଜୀ

-

( ଉଚ୍ଚସ୍ୱରେ ହସି ) ମିଛ ମିଛ, କିଏ ଏହା କହିଲା ?

ଜେମୀ

-

ନା ମହାରାଜ ! ମିଛ କିପରି, ଆମେ କେତେ ଲୋକଠାରୁ ଶୁଣିଲୁ, ଏ କଥା ରାଇଜଯାକ ରଟିଗଲାଣି । ଆପଣ ଲୁଚେଇଲେ କି ଲୁଚିବ ? ଆମେ ଶୁଣି ଦଉଡ଼ି ଅଇଲୁ । ଜଣେ ବଙ୍ଗାଳି ବାବୁ ମଧ୍ୟ ଆସିବେ । ତାଙ୍କର ବାପ ବାତ ରୋଗରେ ତିନି ମାସ ହେଲା ବିଛଣାରୁ ଉଠୁ ନାହାନ୍ତି । ଆମେ ପାପୀ ବୋଲି ଘୃଣା କରୁଛନ୍ତି କି ? ଆମେ ଅତି ଦୁଃଖୀ, ନିରାଶ୍ରିତ, ଆମର କୌଣସି କୁଳ ନାହିଁ ( ପାଦ ତଳେ ପଡ଼ି ) ଦୋହି ମହାରାଜ ! ଆମ ଉପରେ ଦୟା କରନ୍ତୁ, କପଟ କରନ୍ତୁ ନା, ଆମେ କିଛି ଭୋଗ ଖର୍ଚ୍ଚା ଦବୁଁ ଯେ ।

ବାବାଜୀ

-

ଉଠ ଉଠ, ଆମେ କପଟ କରୁନାହୁଁ, ସତ କହୁଚୁ ଶୁଣ । ଆମେ ଅସମୟରେ ଭୋଜନ ମାଗିବାରୁ ସେ ଦୁଷ୍ଟ ପୂଝାରୀ ବିରକ୍ତ ହୋଇ ଗୋଟିଏ ହାଣ୍ଡିରେ ଜୀଅନ୍ତା କୁକୁଡ଼ାଟିଏ ପୁରେଇ ପଲମ ଘୋଡ଼େଇ ଆମ୍ଭଙ୍କୁ ଆଣି ଦେଲା ଓ କହିଲା ଏଥିରେ ପ୍ରସାଦ ଅଛନ୍ତି, ସେବା କରନ୍ତୁ । ଆମେ ପଲମ କାଢ଼ି କୁକୁଡ଼ାକୁ ଦେଖି ଚମକି ଉଠିଲୁଁ । ତହୁଁ ସେ ଟାହୁଲି କରି କହିଲା; - ଆପଣଙ୍କ ମହିମାରେ ମଲା ରନ୍ଧା କୁକୁଡ଼ା ବଞ୍ଚିଉଠିଲା । ତେତେବେଳେ କେହି ଭଲ ଲୋକ ପହଞ୍ଚି ପୂଝାରୀକୁ ଭର୍ତ୍ସନା କଲେ ଓ ଆମେ ତାକୁ କେତେକ ଉପଦେଶ ଦେଇ ଚାଲିଆସିଲୁ । ଏତିକି ସତ୍ୟ ଆଉ ସବୁ ମିଥ୍ୟା-

ରାଧୀ

-

( ଜେମୀ ପ୍ରତି ) ମଲା ! ନିଆଁଲଗା ଗୁଡ଼ାକ କେମନ୍ତେ ଏତେ ମିଛ କଥା କହିଲେ ମ !

ଜେମୀ

-

ହଉ, ଏ କଥା ସିନା ମିଛ ହେଲା । ଆଉ ସତ କଥା କେତେ ଅଛି । ସିଦ୍ଧ ପୁରୁଷଙ୍କର ମହିମା ହୁଏ ।

ବାବାଜୀ

-

ଯେଉଁମାନଙ୍କର ଚିତ୍ତ ସର୍ବଦା ଈଶ୍ୱରଙ୍କଠାରେ, ଈଶ୍ୱର ଛଡ଼ା ଯାହାଙ୍କର କିଛି କାର୍ଯ୍ୟ ନାହିଁ ବା ଚିନ୍ତା ନାହିଁ, ସେମାନଙ୍କୁ ସିଦ୍ଧ ପୁରୁଷ ବୋଲି କହନ୍ତି । ସେମାନେ ଈଶ୍ୱର ଲାଭ ପାଇଁ ଯୋଗ ସାଧନ କରନ୍ତି । ଆପଣାର ମହିମା ପାଇଁ କରନ୍ତି ନାହିଁ କିମ୍ବା ମହିମା ହୁଏନା । ସେମାନେ ବିନୟୀ ଓ ନମ୍ର ହୁଅନ୍ତି । ଯେଉଁ ଅବସ୍ଥାରେ ଥାନ୍ତି ତହିଁରେ ସେମାନେ ଅତି ସନ୍ତୁଷ୍ଟ ଓ ସର୍ବଦା ଆନନ୍ଦିତ ।

ଜେମୀ

-

ଯେଉଁ ବାବାଜୀମାନେ କରଣୀ କଟାନ୍ତି, ସେମାନେ କି ସିଦ୍ଧ ପୁରୁଷ ନୁହନ୍ତି ?

ବାବାଜୀ

-

ସେମାନେ ଅର୍ଥ ଲୋଭୀ । କଉଡ଼ି ଉପାର୍ଜ୍ଜନ ପାଇଁ ସେମାନେ କରଣୀର ଛଟା କରନ୍ତି । ଦଣ୍ଡବତୀ କିମ୍ବା ଭୋଗ ବିନା ସେମାନଙ୍କଠାରୁ ଆଜ୍ଞା ବାହାରେ ନା । ସେମାନେ କଳକୌଶଳ ଓ ନାନାଦି ଉପାୟରେ କିଛି ଆଚମ୍ବିତ କଥା ଦେଖାଇ ଦିଅନ୍ତି । ଅବୋଧ ଲୋକେ ତାହା ତାଙ୍କର ମହିମା ବୋଲି ମଣନ୍ତି । ଆମର କରଣୀ କଥା ଯେପରି ରଟିଚି, ତାହା କେହି ଶଠ ସାଧୁ କପାଳକୁ ଘଟିଥିଲେ ସେ ଅନେକ କଉଡ଼ି ଉପାର୍ଜ୍ଜନ କରି ନିଅନ୍ତା । ଏହିପରି ସବୁ ଜାଣିବ । ସାଧୁ, ଅସାଧୁ କୌଣସି ଲୋକର ଅଲୌକିକ ମହିମା ହୋଇ ନପାରେ, କାରଣ ତାହା ଈଶ୍ୱରଙ୍କ ନିୟମ ବିରୁଦ୍ଧ ।

ଜେମୀ

-

ତେବେ କିପରି ସାଧୁ ଆଜ୍ଞାରେ ରୋଗୀର ରୋଗ ଭଲହୁଏ, ଅପୁତ୍ର ପୁତ୍ର ଲାଭ କରେ, ମାମଲା ମକଦମା ଡିଗ୍ରୀ ହୁଏ ? ଏହା ବୁଝାଇ ଦେଲେ ମୋ ମନ ମାନିବ ।

ବାବାଜୀ

-

ସ୍ଥାନ, ବାୟୁ ପରିବର୍ତ୍ତନ, ମନର ଦମ୍ଭିତା ଇତ୍ୟାଦି ଅନେକ କାରଣରେ ରୋଗ କ୍ଷମା ହୁଏ ଓ ମଧ୍ୟ କୌଣସି କୌଣସି ସ୍ଥଳେ ରୋଗ ଆପଣା ସୁଖେ ଭଲ ହୋଇଯାଏ । କେତେକ ସ୍ଥଳେ ଔଷଧ ପଶ୍ଚାତ୍ ଗୁଣ କରେ ଓ କେହି କେହି ବାବାଜୀ ଆଜ୍ଞା ସହିତ ତୁଟକା ଔଷଧ ମଧ୍ୟ ଦିଅନ୍ତି । ବାସ୍ତବରେ ଏହି ହେତୁମାନଙ୍କରେ କେହି କେହି ରୋଗୀ ଭଲ ହେଲେ ଆଜ୍ଞାର ନାମ ହୁଏ କିନ୍ତୁ ଅନେକ ସ୍ଥଳେ ଆଜ୍ଞା ସଫଳ ହୁଏ ନାହିଁ । ରୋଗୀମାନେ ଆଜ୍ଞା ଉପରେ ନିର୍ଭର କରି ଚିକିତ୍ସା କରନ୍ତି ନାହିଁ; ଏଣୁ କରି ରୋଗ ବୃଦ୍ଧି ହୋଇ ସେମାନଙ୍କୁ ଭାରୀ କଷ୍ଟ ଦିଏ ଓ କେହି କେହି ମୃତ୍ୟୁ ପ୍ରାପ୍ତ ହୁଅନ୍ତି । ଏ ସ୍ଥଳେ ବାବାଜୀମାନେ କୁହନ୍ତି- ଆମଠାରେ ରୋଗୀର ଦୃଢ଼ ବିଶ୍ୱାସ ନ ଥିବାରୁ ଆଜ୍ଞା ସଫଳ ହେଲା ନାହିଁ । ଯଦି ବିଶ୍ୱାସ ମୂଳ ହେଲା ତେବେ ଆଜ୍ଞାର ମହିମା କୌଠି ରହିଲା ? କେତେକ କାରଣରୁ ସନ୍ତାନ ଉତ୍ପତ୍ତି କିଛି କାଳ ସ୍ଥଗିତ ହୋଇଯାଏ ଓ ସେ କାରଣମାନ ବିଦୂରିତ ହେଲେ ସନ୍ତାନ ଜନ୍ମେ ଏଥକୁ ‘‘ତାଳ ପଡ଼ିବା ସମୟେ କାଉ ଖୁମ୍ପିଲା’’ ପ୍ରାୟ ଦୁଇ ଏକ ସ୍ଥଳେ ବାବାଜୀର ଆଜ୍ଞା ଘଟିଯାଏ । ମକଦ୍ଦମା ଅବସ୍ଥା ଦୃଷ୍ଟିରେ ସେମାନେ ଜୟ ଅଥବା ଅଜୟର ଆଜ୍ଞା ଦିଅନ୍ତି;- କୌଟା ବା ଘଟେ କୌଟା ବା ନଘଟେ । ଦୈବୀ କାହାର ଦୁଇ ଚାରି କଥା ଘଟିଲେ ଲୋକେ ତାହାଠାକୁ ଦଉଡ଼ନ୍ତି ଓ ସେ ଆଚ୍ଛା ପଣେ ଉପାର୍ଜ୍ଜନ କରେ । ପଛକୁ ତାହାର ଅନେକ କଥା ନ ଘଟିଲେ ଆଉ ତାହାର ତାଦୃଶ୍ୟ ମାନ୍ୟ ହୁଏ ନା । ଏଠାରେ ଜଣେ ଧୋବା ୧୫ ଦିନ କରଣୀ ବାହାର କରି କେତେ ଉପାର୍ଜ୍ଜନ କଲା, କେତେ ଲୋକର ଜାତି ମାଇଲା ଏହା ତ ତୁମ୍ଭେ ଜାଣିଥିବ । ଏହିପରି ସବୁ ବାବାଜୀର ମହିମା-। ଆଚ୍ଛା, ଏତିକି ବିଷୟରେ ମହିମା ହୁଏ ଆଉ କୌଥିରେ ହୁଏ ନାହିଁ କାହିଁକି ? କାଠ ଖଣ୍ଡେକୁ କେବଳ ଆଜ୍ଞାରେ କେହି ସୁନା କରିଦେଇ ପାରେ-?

ଜେମୀ

-

ନା, ପାରେନା । ବୁଝିଲ ମହାରାଜ ! ଆମେ ଅବୋଧ ଲୋକଙ୍କୁ ଠକ ସାଧୁମାନେ ବଡ଼ ଠକୁଚନ୍ତି ।

ବାବାଜୀ

-

ଧର୍ମରୁ ମଙ୍ଗଳ, ପାପରୁ ପରମାଦ । ଧର୍ମରେ ରହୁ, ସବୁ ମଙ୍ଗଳ ହେବ ।

ଜେମୀ

-

ସତ ମହାରାଜ, ଠିକ୍ କଥା । ( ତୋଟା ଅନ୍ୟ ପାର୍ଶ୍ୱରେ ଶିବ ମିତ୍ର ଓ ଜେମସ୍ ଦଳେଇଙ୍କର ପ୍ରବେଶ )

ଜେମସ୍

-

ଭାଇ ! ବାବାଜୀଙ୍କର ନିରୋଳା ସାକ୍ଷାତ ସକାଶେ ରାତ୍ର କରି ଆସିଲୁଁ କିନ୍ତୁ ନିରୋଳା ତ ନୁହେଁ, ଦୁଇ ତିନି ଜଣ ଅଛନ୍ତି ପରା ! ଭୁଟିଭାଟି ଶୁଭୁଛି, ହେଇ ଦିଶୁ ନାହିଁକି ?

ଶିବ

-

(ଅନାଇଁ) ସତେ ତ ଦୁଇ ଜଣ ସ୍ତ୍ରୀ ଲୋକ, ବାଃ !

ଜେମ୍‌ସ

-

ହେ ଆମେ ବାବାଜୀ ହେଲେ ହୁଅନ୍ତା । (ମତ୍ତ ସ୍ୱରେ)

ଶିବ

-

ଦୂତ, ତତେ ନିଶା ହେଇଚି କି ? ହଁ ହଁ ହେଇଚି ତ । ଆଚ୍ଛା, ବାବାଜୀଙ୍କଠାକୁ ଅଭିକା ଯିବା କିପରି ? ଯଦି ସେମାନଙ୍କ ଯୋଗେ ଆମ ଆସିବାର ପ୍ରକାଶ ହୁଏ ଓ ଯଦୁ, ଦିନୁ ହେରିକା ଶୁଣନ୍ତି; ତେବେ ସେମାନେ ହସିବେ । କେତେ ଟାହୁଲି କରିବେ ।

ଜେମ୍‌ସ

-

ସେମାନଙ୍କ ହସ ଟାହୁଲିକୁ କିଏ ପଚାରେ ? ଆମର ପାଦରି ସାହେବର କାନରେ ପଡ଼ିଲେ ତ ସେ କେତେ ବକିବ । ହୁଏତ ମତେ ପୁଣି Excomunicate (ସମାଜ ଚ୍ୟୁତ) କରିବ ।

ଶିବ

-

ଆଚ୍ଛା ଚାଲ ନଦୀକୂଳକୁ ଯିବା, ସେମାନେ ଗଲାରୁ ଆସିବା । ଥଣ୍ଡାରେ ତୋର ନିଶା ମଧ୍ୟ ଊଣା ହୋଇଯିବ । ଭଲା ଟିକିଏ ବରାଣ୍ଡିରେ ତୋତେ ଏତେ ନିଶା ହେଲା କିପରି ? ତୁ ତ କିଛି ନୋହୁ । ଦେଖ, ମୁଁ ତୋର ଦ୍ୱିଗୁଣ ବରାଣ୍ଡି ଖାଇଚି, ତହିଁ ପୂର୍ବରୁ ଚାରି ଗୋଲି ମଦତ୍ ଟାଣି ଥିଲି । କାହାର ସାଧ୍ୟ, ସେ ମତେ ନିଶା ହୋଇଚି ବୋଲି ଠଉରେଇବ!

ଜେମସ୍

-

ଛି ଛି ! ତୁ ମଦତ୍‌ ଖାଉ ? କେଭୁଁ ଖାଉଚୁ ମ ?

ଶିବ

-

ଦୂର୍‌ । ତୁ ସେଥିର କଥା କଣ ଜାଣୁ । ‘‘ଯେ ନା ଖାୟ ମଦତ୍ ଗୁଲି । ତାକେ କି ମାନୁଷ ବଲି-?’’ ଯେବେ ଦିନେ ଖଶି ମଜା ବୁଝନ୍ତି, ତେବେ ‘‘ଛି ଛି’’ କହନ୍ତୁ କି କଣ କରନ୍ତୁ ଦେଖନ୍ତେଇ ।

ଜେମସ୍‌

-

ଆଃ ଥୁଃ । ମୁଁ କୁଆଡ଼େ ମଦତ୍ ଖାଇବି ! ମଦତ୍‌ରେ ଯେଉଁ ମଏଳା କାରବାର ତାହା ଦିନେ ଦେଖି ବାନ୍ତି ମାଡ଼ିଲା । ତୁ ଏତେ ଇଙ୍ଗିରେଜି ପଢ଼ି, ସଭ୍ୟ ହେଇ ତୋର ଏପରି ମଏଲା କାରବାର ? ଛି ଛି, ଭାଇ ତୁ ଯୋଉ ମଜା ପାଇ ଖାଉଛୁ କିଛୁ ଦିନେ ସେଥିରୁ ଏକା ବେଳେକେ ରହିତ ହବୁ । ପୁରୁଣା ମଦତିଙ୍କର ଅବସ୍ଥା ଦେଖୁ ନାହିଁ, କେତେ ମଲେଣି, କେତେ ମର୍କଟ ରୂପ ଧଇଲେଣି, କେତେ ଚୋର ହେଲେଣି । ଦେଖି ଶୁଣି ଅନ୍ଧ, ସବୁ ନିଶାଠୁଁ ତାହା ଅଧିକ ମନ୍ଦ । ଭାଇ, ତା ଛାଡ଼ିଦେ, ଚେଷ୍ଟା କଲେ ଛାଡ଼ିଯିବ ।

 

 

(ପ୍ରସ୍ଥାନ)

ଶିବ

-

ମଦତିରେ ସବୁ ଦୋଷ, Drinkingର (ସୁରାପାନର) କିଛି ଦୋଷ ନାହିଁ ! ଚାଲ ବନ୍ଧ ଉପରକୁ ଚାଲ, ତେଣେ ଜଣେ ଅନେଇଲାଣି ।

ରାଧୀ

-

(ଜେମା ପ୍ରତି) ଆଲୋ ନାନୀ ! ତୋଟା ସେ ମୁଣ୍ଡରେ ଯୋଡ଼ାଏ ଧଳା ଧଳା କଣ ଦୁଶିଗଲାମ ! (କାତର ସ୍ୱରେ) ଇଲୋ କଣ ଲୋ ?

ଜେମୀ

-

(ଅନାଇଁ) କାହିଁ କିଛି ତ ନାହିଁ ।

ରାଧୀ

-

ଇଲୋ, ତେବେ ଭୂ-(ଅଚେତନ ହୋଇପଡ଼ିଲା) ।

ଜେମୀ

-

ମୋ ମାଆ ! ଇଏ କଣ ହେଲା ? ରାଧୀ ଲୋ ଏମନ୍ତେ କାହିଁକିଲୋ; ରାଧୀ-! କିଛି ଡ଼ର ନାହିଁ । (ରାଧୀକୁ କୋଳରେ ଟରି) ରାଧି ରାଧି ! (କାତର ସ୍ୱରେ) ମ ମ, ଶୁଣିବାକୁତ ନାହିଁ, ଅନେଇବାକୁ ତ ନାହିଁ । କଣ ହେଲା ? ମୋ ସମ୍ପତ୍ତି ସଇଲା (କ୍ରନ୍ଦନ) ମୁଁ ପୋଡ଼ାମୁହୀଁ ୟାକୁ କାହିଁକି ରାତିରେ ଏଠିକି ଆଣିଲ ଲୋ ! ରାଧାରାଣୀ ତ ଭୂ-କରି ରହିଗଲେ ଲୋ ! ମୋ ମାରଣୀଲୋ, କଣ କରିବି ? ମତେ ତ ବୁଦ୍ଧି ଦିଶୁ ନାହିଁ ଲୋ, ମୋ ମା ରାଣୀ ଲୋ ।

ବାବାଜୀ

-

ଏଡ଼େ ଅସ୍ଥିର କାହିଁକି ? ଥଏ ହୋ ।

ଜେମା

-

(କାନ୍ଦି କାନ୍ଦି) କଣ ଥଏ ହେବି ମହାରାଜ ! ମତେ ତ ଚାରି ଆଡ଼ ଅନ୍ଧାର ଦୁଶିଗଲାଣି; ମହାରାଜ ! ଏଟା ଡାଆଣୀ ଭୂତର ଜାଗା, ମୋ ରାଧୀ ତ ଅତି ସୁନ୍ଦରୀ ସୁକୁମାରୀ, ତାକୁ କାହାରି ଦୃଷ୍ଟି ହେଲା, କି ଭୂତ ମାଡ଼ି ବସିଚି, କି କିଛି ଭେଟଣା ହେଲା - ମୁଁ ତ କିଛି ଠିକଣା ପାରୁ ନାହିଁ । ତାକୁ ଘରକୁ ନେବି କେମନ୍ତେ ମତେ ବୁଦ୍ଧି ଦିଶୁ ନାହିଁ । ମହାରାଜ ! ତୁମ ଗୋଡ଼ ତଳେ ପଡ଼ୁଚି ତୁମେ ମତେ, ସାହା ହୁଅ ।

ବାବାଜୀ

-

ତୁ ଅଧୈର୍ଯ୍ୟ ହୋ ନା । ଭୂତ, ଡାଆଣୀ, ଭେଟଣା ସବୁ ମିଛ । ସେ କେବଳ ଭୟରେ ଅଚେତନ ହୋଇଚି । ଏହିକ୍ଷଣି ଚେତନା ପାଇବ, ତୁ ତା କାନ ଫୁଙ୍କିଲୁ ।

ଜେମୀ

-

(କାନ ଫୁଙ୍କି ଫୁଙ୍କି) କାହିଁ ମହାରାଜ ! କିଛି ତ ହେଲା ନାହିଁ । ତୁମେ କଣ କହୁଚ ଭୂତ ଫୁତ ମିଛ ! ତାହାର ତ ଡଙ୍କ ମୋଡ଼ି ହେଲାଣି, ମୁଁ କଣ କରିବି-? (କ୍ରନ୍ଦନ)

ବାବାଜୀ

-

ଆଚ୍ଛା, ତୁ ସ୍ଥିର ହୋଇ ତାକୁ ଟିକିଏ କୋଳରେ ବସେଇଲୁ, ଆମେ ଏହିକ୍ଷଣି ଭଲ କରି ଦେବୁଁ ।

 

 

(ଜେମୀ ରାଧୀକୁ କୋଳରେ ବସାଇଲାରୁ ବାବାଜୀ ତାହା ମୁହଁରେ ପାଣି ମାରି କିଞ୍ଚିତ ପାଣି ପିଆଇ ଦେଲେ ଓ ଫୁଲ ଡାଳରେ ପବନ କଲେ, ମୁହୂର୍ତ୍ତେ ଉତ୍ତାରେ ରାଧୀ ଚେତନା ପାଇଲା)

ବାବାଜୀ

-

ରାଧୀ ! ମନୁଷ୍ୟ ଦେଖି ଏପରି ଡରିଲୁ ? ଆମେ ଦେଖିଚୁ ଦୁଇଜଣ ମନୁଷ୍ୟ ତୋଟାର ସେ ମୁଣ୍ଡରେ ମୁହୂର୍ତ୍ତେ ଠିଆ ହୋଇ ଚାଲିଗଲେ । ତୋର ଏଡ଼େ ଭୟ ହେଲା କାହିଁକି ?

ରାଧୀ

-

ମହାରାଜ ! ଏ ଭୂତ ଡାଆଣୀର ଜାଗା, ମୁଁ ଭୂତ ମନରେ କରି ଚମକି ପଡ଼ିଲି-

ବାବାଜୀ

-

(ଜେମୀ ପ୍ରତି) ଦେଖ୍ ଆମେ କଣ କହୁଥିଲୁଁ ବାସ୍ତବରେ ଭୂତ ଡାଆଣୀ ଇତ୍ୟାଦି କିଛି ନାହିଁ । କୁସଂସ୍କାର ହେତୁ ସେପରି ଭ୍ରମ ଯୁକ୍ତ ବିଶ୍ୱାସ ଥିବାରୁ ଭୟ ହୁଏ, ସେହି ଭୟଟି ଭୂତ । ‘‘ନିଜ ଗାଁ ମଶାଣି, ପରଗାଁ ନଈକୁ ଭୟ ହୁଏ ।’’ ପରଗାଁ ମଶାଣିରେ ଶୋଇ ରହିଲେ ମଧ୍ୟ ଭୂତ ଲାଗେ ନା । କାରଣ ତାହା ଜଣା ନଥିବାରୁ ଭୟ ହୁଏ ନା ।

ଜେମୀ

-

ହଉ ରାଧୀର ସିନା ଭୟରେ ଏପରି ହେଲା, ଆଉ ଯେ ଭୂତର କାଣ୍ଡ ମୁଁ ଦେଖିଚି ତାହା ତ ଭୟ ନୁହେଁ । ଏଠାରେ ହନୁ ସିଂହର ଭାରିଯାକୁ ଭୂତ କି ବାଉତୀ ଲାଗିଲା ଯେ, ସେ ଆଠ ଦିନ ଯାଏ ଏତେ ଧୂମ ଧାମ କଲା ମୁଁ ତା କଣ କହିବି ! ବଳୀ ମାହାନ୍ତି ଘରକୁ ଭୂତ ରାତି ଦିନ ଟେକା ପଥର ହାଡ଼ ଫୋପାଡ଼ିଲା, ଏଠିର ଚିଜ ସେଠି ରଖିଦେଲା ପୁଣି ତାହାର ଭେଣ୍ଡା ପୁଅକୁ ରାତିରେ ନିଦରୁ ଉଠେଇ ଦୁଇ ପା ବାଟ ନେଇଯାଇ ଗୋଟାଏ ଗାଡ଼ିଆରେ ମାଡ଼ି ଦେଲା । ସେହି ପୁଝାରୀ ମନ୍ତ୍ର ଯନ୍ତ୍ର କରି ସେମାନଙ୍କୁ ରକ୍ଷାକଲା । ଆଉ ସଦା ମା ପିଶାଚୁଣୀ ଜଣକୁ ଲାଗିଲା ଯେ, ତାକୁ କେହି ଛଡ଼ାଇ ପାରିଲେ ନାହିଁ, ତାହାର ପ୍ରାଣ ନେଲା । ଯେବେ ଭୂତ ଡାଆଣୀ ମିଛ, ତେବେ ଏସବୁ ହେଲା କିପରି ?

ବାବାଜୀ

-

ହନୁ ସିଂହର ଭାରିଯା ମନ୍ଦ କାମନାରେ ଛଟା କରିଥିବ । ବଳୀ ଘରକୁ କେହି ଦୁଷ୍ଟ ଲୋକ ଟେକା ଇତ୍ୟାଦି ଲୁଚିକରି ଫୋପାଡ଼ି ଥିବ । ବାତ ପିତ୍ତ ବା ସନ୍ନିପାତ ରୋଗରେ ରୋଗୀ ବକେ, ବିଛଣାରୁ ଉଠି ପଳାଏ, ମତି ଭ୍ରମ ଓ ଶରୀରର ନାନାଦି ବିଭଙ୍ଗ ହୁଏ । ଯେଉଁ ଜଣକ ମରିଗଲା, ତାକୁ ଏହି ପ୍ରକାର କିଛି ଉତ୍କଟ ରୋଗ ଘଟିଥିବ । ତାହା କେହି ଚିହ୍ନି ନ ପାରି ଭୂତଲଗା ବୁଝିଲେ, ଭୂତର ନାମ ପଚାରିବାରେ ସେ ଗୋଟିଏ ପ୍ରଚଳିତ ନାମ କହିଥିବ-। ଆମେ ଦେଖିଚୁଁ ଜଣେ ପୋଖତୀକୁ ଦିନେ ସାମାନ୍ୟ ଜ୍ୱର ହୋଇ ହଠାତ୍‌ ସନ୍ନିପାତ ହେବାରୁ ସେ ବକିଲା ଓ ଚକ୍ଷୁ କିଛି ଲାଲ୍‌ ଦିଶିଲା । ଲୋକେ ତାକୁ ଭୂତ ଲାଗିବାର ବୁଝି ମନ୍ତ୍ର ଦ୍ୱାରା ଭୂତ ଛଡ଼େଇବାରେ ରହିଲେ । ଶେଷକୁ ସନ୍ନିପାତ ବୋଲି ଚିହ୍ନିଲେ କିନ୍ତୁ ସେତେବେଳକୁ କିଛି ଉପାୟ ନ ଥିଲା । ତାହାର କାଳ ହେଲା । ଆଉ ଭୟରେ ମଧ୍ୟ ପ୍ରାଣ ବାହାରି ଯାଏ, ଲୋକେ ବୁଝି ନ ପାରି ଦେବା ଦେବୀର ଭେଟଣା କହନ୍ତି । ଭୟ ହିଁ ଭୂତ, ଭୟ ହିଁ ଭେଟଣା; ଭୟ ନ ହେଲେ କିଛି ନାହିଁ । କୁସଂସ୍କାର, ଅଜ୍ଞାନତା ଓ ଅଧର୍ମ ଭୟର ମୂଳ ଅଟେ ।

ଜେମୀ

-

ଆଚ୍ଛା ଚିରିକୁଣୀ ନିଆଁ ଜାଳେ କିପରି ? ଏଥିରେ ତ ଭୟ ଭ୍ରାନ୍ତି ନାହିଁ ।

ବାବାଜୀ

-

ହଁ ଭ୍ରାନ୍ତି ଅଛି । ତାହା ଚିରିକୁଣୀ ନୁହେଁ, ତହିଁରେ ତତ୍ତ୍ୱ ଶୁଣ । ପଙ୍କୁଆ ସ୍ଥାନରୁ ଅଥବା ପଚା ଦ୍ରବ୍ୟର କିମ୍ବା ପୋଡ଼ା ହାଡ଼ରୁ ଏକ ପ୍ରକାର ବାମ୍ଫ ବାହାରେ ଯେ ତାହା ଆପଣା ଛାଏଁ ଜଳି ଉଠେ, ପବନ ଯୋଗେ ଗମନ କରେ ଓ କେତେବେଳେ ଲିଭିଯାଏ ଓ ପୁଣି ଜଳି ଉଠେ । ଏହାକୁ ‘‘ଗ୍ୟାସ୍‌’’ ଅର୍ଥାତ୍‌ ବାଷ୍ପ ଆଲୁଅ କହନ୍ତି । ଶ୍ମଶାନରେ ଅନେକ ଶବ ପଡ଼ି ଶଢ଼ୁଥିବାରୁ ଓ ପୋଡ଼ା ହାଡ଼ ଥିବାରୁ ସେଠାରେ ଓ ପାଟ ବିଲରେ ଏ ବାଷ୍ପ ଆଲୁଅ ଅଧିକ ଦେଖାଯାଏ । ଏକ ପ୍ରକାର ବିଲୁଆ ଅଛନ୍ତି ସେମାନଙ୍କ ମୁହଁରୁ ଶୂନ୍ୟ ଆଲୁଅ ବାହାରେ । ଏହାଙ୍କୁ ଉଲ୍‌କା-ମୁଖୀ କହନ୍ତି । କଲିକତା ସହର ମଧ୍ୟରେ କଳଯୋଗେ ଏପରି ଗ୍ୟାସ୍‌ଆଲୁଅରେ ରୋଷନୀ ପ୍ରତିଦିନ ହୁଅଇ । ଚିରିକୁଣୀ ନିଆଁ ଜାଳି ପିଲା ସେକିବା କଥା ମିଥ୍ୟା ଗଳ୍ପ ଅଟେ । ଲୋକେ ଅଜ୍ଞାନତା ହେତୁ ଜଗତ୍‌ ପ୍ରକୃତିର ଚମତ୍କାର ଘଟନାମାନଙ୍କର ତତ୍ତ୍ୱ ବୁଝି ନ ପାରି, ନାନାଦି କାଳ୍ପନିକ କଥା ସିଦ୍ଧାନ୍ତ କରନ୍ତି । ଏସବୁ ବୁଝିବାକୁ ବିଦ୍ୟା, ବୁଦ୍ଧି, ଜ୍ଞାନ ଆବଶ୍ୟକ ।

ଜେମୀ

-

ମହାରାଜ ! ଆଜି ଆପଣଙ୍କ ଠାରୁ ଅନେକ ଜ୍ଞାନ ପାଇଲୁଁ ।

ରାଧୀ

-

ସତେ ମ ! ଏତେ କଥା କିଏ ବୁଝାନ୍ତା ?

ବାବାଜୀ

-

ଆଚ୍ଛା, ତେବେ ବର୍ତ୍ତମାନ ଆସ, ରାତ୍ର ହେଲାଣି । କାଳେ ତୁମେମାନେ ଡ଼ରିବ, ଆମେ ତୁମକୁ କିଛିଦୂର ବଳେଇ ଦେଇ ଆସିବା ।

ରାଧୀ

-

ଆଉ ଡର କୌକଥାକୁ ? ଆମେ ଚାଲିଯିବା, ଆପଣ କାହିଁକି କଷ୍ଟ ସହିବେ-?

ବାବାଜୀ

-

ନା, ଆମର କିଛି କଷ୍ଟ ହବ ନାହିଁ, ତୁମର ହଠାତ୍‌ ଏତାଦୃଶ ଦମ୍ଭିତା ହୋଇ ନ ପାରେ । ଯଦ୍ୟପି ଆମର ଉପଦେଶକୁ ସର୍ବଦା ଭାବିବ ଓ ଆଲୋଚନା କରିବ ତେବେ ତୁମର ମନ ଦୃଢ଼ ରୂପେ ମାନିବି ଓ ଦମ୍ଭିତା ହେବ । ବର୍ତ୍ତମାନ ଚାଲ ଆମେ ଛାଡ଼ି ଦେଇ ଆସୁଁ । (ସମସ୍ତଙ୍କର ପ୍ରସ୍ଥାନ)

 

 

(ଶିବମିତ୍ର ଓ ଜେମ୍‌ସ ଦଳେଇର ପ୍ରବେଶ)

ଜେମ୍‌ସ

-

କାହିଁ ? ବାବାଜୀ ତ ନାହାନ୍ତି । ସେ ସ୍ତ୍ରୀମାନଙ୍କ ସାଙ୍ଗରେ ଗଲେ କି ? ହେଲା ! ବାବାଜୀଙ୍କ କଥା ଜଣା ପଡ଼ିଲା । ଭଣ୍ଡ ବାବାଜୀଟାଏ, ତୁଚ୍ଛାକୁ ଏତେ ବାଟ ମାପିଲୁଁ ।

ଶିବ

-

ନା, ନା, ସେ ସେ ପ୍ରକାର ଭଣ୍ଡ ବାବାଜୀ ନୁହଁନ୍ତି । ତାଙ୍କ କଥା ଅତି ଚମତ୍କାର, ତାଙ୍କୁ ଉପହାସ ବା ନିନ୍ଦା କରନା । କେହି କେହି ସାଧୁଙ୍କର ଏପରି ଶକ୍ତିଥାଏ ଯେ, ସହସ୍ର କ୍ରୋଶ ଅନ୍ତରରେ ତାଙ୍କର ପ୍ରସଙ୍ଗ ପଡ଼ିଲେ ସେ ସେହିକ୍ଷଣି ଜାଣି ପାରନ୍ତି । ଏ ବାବାଜୀ ସେପରି ଶକ୍ତି ଦ୍ୱାରା ତୋର ଉପହାସ ଜାଣି ପାରିଲେ ବଡ଼ ବିଷମ ହବ ।

ଜେମସ୍

-

ତେବେ ସେ କୁଆଡ଼କୁ ଗଲେ, ଏତେ ବାଟ ଆସି କଣ ବାହୁଡ଼ି ଯିବା ?

ଶିବ

-

ନା, ଯିବା ନାହିଁ, ଦଣ୍ଡେ ଅପେକ୍ଷା କରିବା । ବୋଧ ହୁଏ ସେ ବାହାରକୁ ଯାଇଥିବେ ଏହିକ୍ଷଣି ଆସିବେ । ଏ ସ୍ଥାନର ଶୋଭା ଦେଖ୍ । ଆହା ! କେମନ୍ତ ମନୋରମ୍ୟ ହେଇଚି ! ଚନ୍ଦ୍ର କିରଣରେ କେଡ଼େ ସୁନ୍ଦର ଦୁଶୁଚି ! ବାବାଜୀ ଆଚ୍ଛା ସ୍ଥାନଟିଏ ମନୋନୀତ କରିଚନ୍ତି । ସେ ଯାଉନ୍ତୁ, ଆମର ଦିନେ ଏଠାରେ ମଉଜ କରିବା । ସବୁ Friendsଙ୍କୁ (ସାଙ୍ଗମାନଙ୍କୁ) ଓ ରାଧୀଙ୍କୁ ଆଣିବା । ସେ ଏବେ ବେଶ୍‌ ଗାଉଚି, କେମନ୍ତ ମଜା ହବ ?

ଜେମ୍‌ସ

-

ଯୋଉ ମଜା ହବ ଭାଇ ତା କାହିଁକି କହୁଚୁ ? ମଉଜକୁ ତ ସ୍ଥାନ ଇଏ ! ରାଧି, ଜେମୀ ଦୁହିଁଙ୍କୁ ଆଣିବା । ଜଣକେ କିଛି ଜମିବ ନାହିଁ, ନା ମଜା ହବ ନାହିଁ । Country ଓ Exshow(ଦେଶୀ ସୁରା ଓ ବ୍ରାନ୍ତି) ଏଇ ଦୁଇ ରକମ ଆଣିବାକୁ ହବ । ଏସବୁ ନ ହେଲେ କିଛି ମଜା ହବ ନାହିଁ ।

ଶିବ

-

ତା ଦ ହେଲେ କଣ ହବ ? Wine and woman are the things the world, Ah ! (ସୁରା ଓ ସ୍ତ୍ରୀ ସଂସାରରେ ସାର) । ଆରେ ଆଜି ଜେମୀ ଓ ରାଧୀର ଗାଉଣା ହବାର ଥିଲା । ଏଠାକୁ ଆସିବାର ହବାରୁ ମନାକରି ପଠେଇଲି ।

ଜେମସ୍‌

-

ଆଜି ନ ହେଲା ନାହିଁ, ସେ ଦିନ ମନ ଇଚ୍ଛା ସବୁ ହବ । ହେଇ, ବାବାଜୀ ଆସୁଛନ୍ତି ।

 

 

ବାବାଜୀଙ୍କର ପ୍ରବେଶ

 

 

(ଶିବ ଟ ୦୪ ଓ ଜେମ୍‌ସ ଟ ୦୯ ପ୍ରଣାମୀ ଦେଇ ପ୍ରଣାମ କଲାରୁ)

ବାବାଜୀ

-

ମଙ୍ଗଳ ହଉ ବାବା, କୁଆଡ଼େ ଆସିବା ହେଲେ ?

ଶିବ

-

ଆପଣଙ୍କର ଚରଣ ସେବାକୁ ଆସିଲୁ ।

ବାବାଜୀ

-

ଆପଣଙ୍କର ନିବାସ ?

ଶିବ

-

ବଙ୍ଗ ଦେଶ ଆମର ମାତୃଭୂମି, କିନ୍ତୁ ଆମ ପିତାଙ୍କର ଏଠାରେ ଚାକିରି ହବାରୁ ସେହି ସମୟରୁ ଏ ଦେଶରେ ରହିଅଛୁଁ । ମର ମଧ୍ୟ ଚାକିରି ଅଛି ।

ବାବାଜୀ

-

ଏ ବାବୁ କଣ ଏହିପରି ଚାକିରି ଛଳରେ ଏଠାରେ ରହିଚନ୍ତି ?

ଶିବ

-

ଆଜ୍ଞା ନା, ସେ ଏ ଦେଶୀୟ ଓଡ଼ିଆ ତାଙ୍କର ଚାକିରି ଥିଲା ବର୍ତ୍ତମାନ ନାହିଁ ।

ବାବାଜୀ

-

କେମନ୍ତ ! ସେ ଓଡ଼ିଆ, ଠିକ୍‌ ବଙ୍ଗାଳୀ ପରି ଦୁଶୁଚନ୍ତି ! ବର୍ଣ୍ଣରେ କଣ ?

ଶିବ

-

ସେ କିରସ୍ତାନ ।

ବାବାଜୀ

-

ଆପଣ ହିନ୍ଦୁ ପରା ?

ଶିବ

-

ଆଜ୍ଞା ।

ଜେମସ୍

-

ନାହିଁ ମହାରାଜ ସେ ହିନ୍ଦୁ ନୁହେଁ ନା ମୁସଲମାନ୍‌ ନୁହେଁ, କିରସ୍ତାନ ନୁହେଁ ନା ବ୍ରହ୍ମଜ୍ଞାନୀ ନୁହେଁ । ତାହାର କିଛି ଠିକ୍‌ ନାହିଁ ।

ଶିବ

-

ନାହିଁ ମହାରାଜ, ମୁଁ ହିନ୍ଦୁ, ସେ କଣ ଜାଣେ ? ଆପଣମାନେ କିରସ୍ତାନଙ୍କ ପ୍ରତି ବିରକ୍ତ ଥାନ୍ତି । ସେ କିରସ୍ତାନ ବୋଲି ମୁଁ କହିବାରୁ, ସେ ମୋ ଉପରେ ଚିଡ଼ି ଏପରି କହୁଚି ।

ବାବାଜୀ

-

ନାହିଁ, କିରସ୍ତାନଙ୍କ ପ୍ରତି କାହିଁକି ବିରକ୍ତ ହବା ? ସେମାନଙ୍କ ମଧ୍ୟରେ ସୁଦ୍ଧା ଜ୍ଞାନୀ ଓ ଧର୍ମଶୀଳ ବ୍ୟକ୍ତି ଥାନ୍ତି ।

ଜେମସ୍‌

-

ହଁ ମହାରାଜ, ମୁଁ କିରସ୍ତାନ ହେଲେ କଣ ହେଲା, ମୁଁ ସବୁ ମାନେ; ମୁଁ ସେପରି ହୁଡ଼୍‌କିରସ୍ତାନ ନୁହେଁ । (ଯୋଡ଼ହସ୍ତ ହୋଇ) ମହାରାଜ ! ଆମେ କିଛି କାମନାରେ ଆସିଚୁ ।

ବାବାଜୀ

-

ଦୁଇ ଏକଦଣ୍ଡ ପୂର୍ବେ ଆପଣମାନେ ତୋଟାରେ ସେ ପାଖକୁ ଆସିଥିଲେ କି-?

ଜେମ୍‌ସ

-

ଆଜ୍ଞା, ଆପଣଙ୍କ ଦର୍ଶନକୁ ଆସୁଥିଲୁ, ପୁଣି ଟିକିଏ ନଦୀ ଦେଖିବାକୁ ଚାଲିଗଲୁ ।

ବାବାଜୀ

-

ଆମ ଦ୍ୱାରା ତୁମର କି କାମନା ସିଦ୍ଧ ହୋଇପାରେ ?

ଜେମସ୍‌

-

ଆପଣଙ୍କ ମହିମାରେ ସବୁ ହୋଇପାରେ ।

ବାବାଜୀ

-

ଆମ ତ ମନୁଷ୍ୟ ମାତ୍ର, ଆମର କି ମହିମା !

ଶିବ

-

ମହାରାଜ ! ତା କହିଲେ ଆମେ କି ମାନିବୁଁ? ସିଦ୍ଧ ପୁରୁଷ ସାଧୁଙ୍କର ମହିମା ହୁଏ । ଏହା ଅନେକ ଶୁଣା ଅଛି ଓ ଦେଖା ଅଛି ।

ବାବାଜୀ

-

କଣ ଦେଖିଚ କହିଲ ?

ଶିବ

-

ବର୍ଷେ ହବ, ଜଣେ ପରମହଂସ ଆମ ଘରଠାରେ ପ୍ରବେଶ ହେଲେ, ତାଙ୍କର ଭୋଜନର ଆୟୋଜନ ହେଲାରୁ ସେ ଆସନରେ ବସି ଆପଣା ତାଳୁ ଉପରେ ହାତମାରି ଦିଅନ୍ତେ ମୂର୍ତ୍ତିଟିଏ ଶାଳଗ୍ରାମ ତାଙ୍କ ପାଟି ଭିତରୁ ବାହାରି ପଡ଼ିଲେ । ସେ ଶାଳଗ୍ରାମକୁ ପୂଜାକରି ଭୋଗ ଦେଇ ମୁଖ ମଧ୍ୟରେ ରଖି ଦିଅନ୍ତେ ଶାଳଗ୍ରାମ ତାଙ୍କର ମସ୍ତିଷ୍କ ଅର୍ଥାତ୍‌ ମଗଜ ମଧ୍ୟକୁ ଚାଲିଗଲେ । ସେ ପ୍ରତିଦିନ ଏହିପରି କରନ୍ତି । ମୋର ଦାଦା (ଭାଇ) ପ୍ରାୟ ନାସ୍ତିକ, ବାବାଜୀଙ୍କର ଉପରେ ବଡ଼ ଚିଡ଼ନ୍ତି କିନ୍ତୁ ପରମହଂସଙ୍କର ଏପରି ମହିମା ଦେଖି ତାଙ୍କୁ ଅତି ସମ୍ମାନ କଲେ ଓ ବସ୍ତ୍ର ଇତ୍ୟାଦି ବିଦାକି ଦେଲେ । ମନୁଷ୍ୟର ମହିମା ନ ହୁଏ କିପରି ?

ବାବାଜୀ

-

ଆମେ ସେପରି ସିଦ୍ଧ ପୁରୁଷ ନୋହୁଁ । ଆମେ ତ ଭଣ୍ଡ ବାବାଜୀ, ଆମର କି ମହିମା ?

ଶିବ

-

ଏଡ଼େ ମୂର୍ଖ କିଏ ଅଛି ଯେ, ସେ କହିବ ଆପଣ ଭଣ୍ଡ ବାବାଜୀ; ଆପଣଙ୍କର କିଛି ମହିମା ନାହିଁ ।

ବାବାଜୀ

-

ତୁମ୍ଭେମାନେ କହିଚ କିମ୍ବା ତୁମ ମନରେ ଏପରି ବୈଗୁଣ୍ୟ ଜନ୍ମିଛି ।

ଶିବ

-

ଆମ ମନରେ ଏପରି ବୈଗୁଣ୍ୟ ଥିଲେ କି ରାତ୍ର କାଳରେ ଏତେ ବାଟ ଆସିଥାନ୍ତୁ ?

ବାବାଜୀ

-

ଏଠାକୁ ଆସିବା ଉତ୍ତାରେ ବୈଗୁଣ୍ୟ ଜାତ ହେଲା । ଆମକୁ ତାହା ଗୋଚର ହୋଇଚି ।

ଶିବ

-

(ଜେମ୍‌ସ ପ୍ରତି) ଦେଖ, ମୁଁ କଣ କହୁଥିଲି ? ଏବେ ସମ୍ଭାଳ । ତୁ ଯୌଠି ଥିବୁ; ସବୁ ବିଗାଡ଼ିବୁ-। (ବାବାଜୀ ପ୍ରତି) ହଁ ମହାରାଜ ଏ ବାବୁ ସେପରି କିଛି କଥା ଏହିଠାରେ କହି ଥିଲେ କିନ୍ତୁ ମୁଁ ତତ୍‌କ୍ଷଣାତ୍ ରୋକି ଦେଇଛି । ସେ କିରସ୍ତାନ ତାଙ୍କର ସେତେଦୂର ଜ୍ଞାନ ନାହିଁ । କିରସ୍ତାନ ମାନେ ସାଧୁ ସନ୍ଥଙ୍କ ଗୁଣ କଣ ଜାଣନ୍ତି ? ତାଙ୍କ କଥା ଧର୍ତ୍ତବ୍ୟ ନୁହେଁ । ଯାହାହେଉ ଆମର ଦୋଷ ହେଇଛି, ଦୟାବହି ଦୋଷ କ୍ଷମା କରନ୍ତୁ ।

ଜେମସ୍‌

-

(କରଯୋଡ଼ି) ମହାରାଜ ମୁଁ ବଡ଼ ଅପରାଧ କରିଚି । ଆପଣ ଦୟାଶୀଳ ଓ ଅତି ମହାନ୍‌ ଏ କ୍ଷୁଦ୍ର ଜୀବର ଦୋଷ କ୍ଷମା ନ କଲେ ଆଉ କିଏ କ୍ଷମା କରିବ ? ‘‘ଦଣ୍ଡିବା ଶକ୍ତି ଯାର ଥାଇ-ସେ ପୁଣି କ୍ଷମା ଆଚରଇ ।’’ (ପାଦତଳେ ପଡ଼ି) ମୋ ଦୋଷ କ୍ଷମା କରନ୍ତୁ ମହାରାଜ !

ବାବାଜୀ

-

ଉଠ ଉଠ ବାବା, ଆମେ ତୁମ ଦୋଷ କ୍ଷମା କଲୁଁ । ତୁମମାନଙ୍କର କି କାମନା ?

ଶିବ

-

ଆପଣ କଣ ତାହା ଜାଣି ନ ଥିବେ ଯେ, ଆମେ କହିବୁ କାହିଁକି ?

ବାବାଜୀ

-

ହଁ, ତୁମ କାମନା ବିଷୟ ମଧ୍ୟ ଆମକୁ ଗୋଚର ହୋଇଚି । ତୁମର ପିତା ବାତ ରୋଗରେ ଅତି ପୀଡ଼ିତ ଥିବାରୁ ତାଙ୍କର ଆରୋଗ୍ୟ ସକାଶେ ତୁମର କାମନା । ଏ ବାବୁଙ୍କର ଚାକରିର କାମନା ।

ଜେମସ୍‌

-

(ଶିବପ୍ରତି) ଅହୋ ! ମହାରାଜାଙ୍କର ଏପରି ମହିମା ! ମୁଁ ଚଣ୍ଡାଳ କଣ କହୁଥିଲି !

ଶିବ

-

ଆରେ ! ଏତ ସାମାନ୍ୟ କଥା, ଆଉ ଯେ ପ୍ରସଙ୍ଗ ଶୁଣିଚେଇଁ ତାହା କେଡ଼େ ଚମତ୍କାର !

ବାବାଜୀ

-

କଣ ଶୁଣିଚ କହିଲ । ସଂକ୍ଷେପରେ କହିବ ।

ଶିବ

-

ଆପଣ ମଲା ରନ୍ଧା କୁକୁଡ଼ାକୁ ବଞ୍ଚେଇ ଦେବା ହେଲେ ସେ ପୁଣି ଜଣେ ମନୁଷ୍ୟର ପ୍ରାଣ ନେବାକୁ ବସିଲା । ଏହା କି ସାମାନ୍ୟ କଥା ?

ବାବାଜୀ

-

ଆଉ ଆମେ ସହି ପାରିବୁ ନାହିଁ । ଏହିକ୍ଷଣି ଦୁଇ ଜଣ ମୂର୍ଖ ସ୍ତ୍ରୀ ଯେପରି କହୁଥିଲେ, ତୁମେ ବିଦ୍ୟାବନ୍ତ ବ୍ୟକ୍ତି ହୋଇ ସେହିପରି କହୁଚ । ବୁଦ୍ଧି ଓ ଜ୍ଞାନ ବୁଦ୍ଧି କିଛି ହିଁ ଦେଖୁ ନାହୁଁ । ‘‘ଯାହା ନ ଦେଖିବ ଦୁଇ ନୟନେ । ପରତେ ନ ଯିବ ଗୁରୁ ବଚନେ ।’’ ଏପରି ଅସମ୍ଭବ କଥା ଶୁଣିଲା ମାତ୍ରକେ ତହିଁରେ ବିଶ୍ୱାସ କଲ, ପୁଣି ତା କହୁଚ, ବଡ଼ ଆଶ୍ଚର୍ଯ୍ୟ ! ବୁଝିଲ, ତାହା ସଂପୂର୍ଣ୍ଣ ମିଥ୍ୟା । ମନୁଷ୍ୟର ଅଲୌକିକ ମହିମା କଦାପି ହୋଇ ନ ପାରେ ।

ଜେମ୍‌ସ

-

ତେବେ ଆପଣ ଆମ କାମନା କିପରି ଜାଣି ପାରିଲେ ? ଆମର ନାମ ସୁଦ୍ଧା ଏପର୍ଯ୍ୟନ୍ତ କହି ନାହୁଁ କିମ୍ବା ମନ କଥା ଅନ୍ୟ କାହାରିଠାରେ ପ୍ରକାଶ କରି ନାହୁଁ । ଏ ଅବସ୍ଥାରେ ଆପଣ ମହିମା ବା କର୍ଣ୍ଣ-ପିଶାଚ ବିଦ୍ୟାବଳେ ଆମ ମନ କଥା ଜାଣିଥିବେ, ସନ୍ଦେହ ନାହିଁ ।

ବାବାଜୀ

-

କର୍ଣ୍ଣପିଶାଚ ବିଦ୍ୟା ମଧ୍ୟ ସଂମ୍ପୂର୍ଣ୍ଣ ମିଥ୍ୟା । ଯେ ଦୁଇ ଜଣ ବେଶ୍ୟା ଆସିଥିଲେ ସେମାନେ କହୁଥିଲେ କି ଜଣେ ବଙ୍ଗାଳୀ ବାବୁ ଆସିବେ ତାଙ୍କର ପିତା ବାତ ରୋଗରେ ଅତି ପୀଡ଼ିତ ଅଛନ୍ତି । ଏ ବାବୁ ତୁମର ପରିଚୟ ଦେଲାବେଳେ କହିଥିଲେ ଯେ ତୁମର ଚାକିରୀ ଥିଲା, ବର୍ତ୍ତମାନ ନାହିଁ । ଏତିକି ସଙ୍କେତରୁ ଆମେ ବୁଦ୍ଧି ବଳରେ ତୁମ କାମନା କଥା ଅନୁମାନ କହିଲୁଁ-

ଜେମସ୍‌

-

ଆଚ୍ଛା, ମୋ ମନର ବୈଗୁଣ୍ୟ ବିଷୟ କିପରି ଜାଣିଲେ ? ତାହାତ ଦୁଇ କାନରୁ ଅଧିକ ହୋଇ ନାହିଁ କିମ୍ବା ତହିଁର କିଛି ସଙ୍କେତ ପାଇ ନାହାନ୍ତି । ଆପଣ ମତେ ଭୁଲେଇଲେ କି ମୁଁ ଭୁଲିବି-? ଦୋହି ମହାରାଜ ! ଆମ ଉପରେ ଟିକିଏ ପ୍ରସନ୍ନ ହଉନ୍ତୁ-

ବାବାଜୀ

-

ତୁମର ମନର ବୈଗୁଣ୍ୟ କଥା ମଧ୍ୟ ଆମେ ଅନୁମାନ କରି କହିଲୁଁ । ତୁମେ ଯେତେବେଳେ ତୋଟାର ସେ ପାର୍ଶ୍ୱକୁ ଆସିଥିଲ, ତେତେବେଳେ ଆମ ନିକଟରେ ସ୍ତ୍ରୀ ଲୋକ ଅବଶ୍ୟ ଦେଖିଥିବେ । ପୁନର୍ବାର ଆସିଲା ବେଳକୁ କାହାରିକୁ ନ ଦେଖିଲ । ଆମର ଆଚରଣ ତୁମକୁ ଜଣା ନାହିଁ ଓ ତୁମର ମନ ଦୁର୍ବଳ ଓ ଅପରିଷ୍କୃତ । ଏ ଅବସ୍ଥାରେ ତୁମ ମନରେ ବୈଗୁଣ୍ୟ ଜନ୍ମିଥିବ, ଏହା ଭାବି ଆମେ କହିଥିଲୁଁ । ଦୈବୀ ତାହା ଠିକ୍‌ଘଟିଲା । ଏହି ପ୍ରକାପରେ ଶଠ ସାଧୁମାନେ ଲୋକଙ୍କୁ ଭଣ୍ଡନ୍ତି । ଏହା ତୁମକୁ ପ୍ରତ୍ୟକ୍ଷ ଦେଖାଇବା ପାଇଁ ଆମେ ପ୍ରଥମେ କପଟ କରି ଏପରି ଭଙ୍ଗିରେ କହିଥିଲୁଁ । ଏହି ପ୍ରକାର ସବୁ ଜାଣିବ । ମହିମା, କର୍ଣ୍ଣପିଶାଚ ବିଦ୍ୟା ସମ୍ପୂର୍ଣ୍ଣ ମିଥ୍ୟା ।

ଶିବ

-

ଆଚ୍ଛା, ସେ ପରମହଂସ ମୂର୍ତ୍ତିଏ ଶାଳଗ୍ରାମ ମୁଖରୁ ବାହାର କରନ୍ତି କିପରି ?

ବାବାଜୀ

-

ବାଜୀକର କେଳା ମୁଖରୁ ଅବିର ଓ ଟଙ୍କା ପଇସା ବାହାର କରେ କିପରି ? ଜଣେ ଇଙ୍ଗରେଜ ବାଜୀକର ଟୋପି ମଧ୍ୟରୁ ଏତେ ଗୁଣ୍ଡିଏ ପେଣ୍ଡୁ ବାହାର କଲ ଯେ ସେ ସବୁ ପୁଣି ଟୋପିରେ ପୂରେଇଲା ବେଳକୁ ତହିଁରେ ସ୍ଥାନ ନ ହେଲା । ସେ ପରମହଂସ ମୂଖରୁ ଗୋଟିଏ ଶାଳଗ୍ରାମ ବାହାର କରିବାର କି ଆଶ୍ଚର୍ଯ୍ୟ ? ଏହା କୁହୁକ ଅଟେ, ମହିମା ନୁହେଁ । ତାହାର ଏପରି ମହିମା ଥିଲେ ସେ ଦ୍ୱାର ଦ୍ୱାର ବୁଲନ୍ତା ନାହିଁ ।

ଶିବ

-

ଆଜ୍ଞା, ତାହା କୁହୁକ ହୋଇପାରେ ।

ଜେମସ୍‌

-

ହଉ, କୁହୁକ ହେଲେ କଣ ହେଲା, ମନ୍ତ୍ର ବଳ ତ ହେଲା । ମନ୍ତ୍ରଯୋଗେ କୁହୁକ ହୁଏ ଓ ମହିମା ମଧ୍ୟ ହୁଏ ।

ବାବାଜୀ

-

ଓହୋ ! ଏ ବାବୁଙ୍କର ତ ଭାରି ଭ୍ରମ । କୁହୁକ ମନ୍ତ୍ର ବଳରେ ହୁଏ ନା, କିମ୍ବା ମନ୍ତ୍ରର କିଛି ହିଁ ବଳ ନାହିଁ । ମନ୍ତ୍ରର ବଳ ଥିଲେ ବାଜୀକର କେଳା ଦୁଇ ଚାରି ଅଣାପାଇଁ ଦ୍ୱାର ଦ୍ୱାର ନ ବୁଲି ମନ୍ତ୍ର ବଳରେ ଟଙ୍କା କଉଡ଼ି ଟାଣି ଆଣୁଥାନ୍ତା-। ବାସ୍ତବରେ କେତେ କୁହୁକ ଚତୁରତା ଓ ଚଞ୍ଚଳତା ଦ୍ୱାରା ହୁଏ, କେତେକ ଦ୍ରବ୍ୟ ଗୁଣରେ ହୁଏ, କେତେକ କଳ କୌଶଳେ ଓ ଯନ୍ତ୍ର ସହାୟତାରେ ହୁଏ-। ଇଙ୍ଗରେଜମାନେ ମନ୍ତ୍ର ମାନନ୍ତି ନାହିଁ କିମ୍ବା ଜାଣନ୍ତି ନାହିଁ, ସେମାନେ କିପରି କେଳାଙ୍କଠାରୁ ଅଧିକ ଚମତ୍କାର କୁହୁକ ଦେଖାନ୍ତି ? ଆମେ ଗୋଟିଏ କୁହୁକ ତୁମକୁ ବୁଝାଇ ଦେଉଁଚୁ ଶୁଣ । ରବର ନାମରେ ଏକ ପ୍ରକାର ଅଠାବତ୍‌ ଦ୍ରବ୍ୟ ଅଛି ତାହା ଟାଣିଲେ ବଢ଼ଇ ଚିପିଲେ ଯାକି ହୁଅଇ । ତହିଁର ପୋଲା ପେଣ୍ଡୁ ଚିପା ହୋଇ ଟୋପିର ଲୁଗା ମଧ୍ୟରେ ପଶିଥାଏ, ସେ ରନ୍ଧ୍ର ଥାଏ, ତାହା ଲୁଗା ମଧ୍ୟରୁ ବାହାର କଲେ ବାୟୁ ସହାୟତାରେ ତାହା ଫୁଲି ନିଦା ପେଣ୍ଡୁ ପ୍ରାୟ ଦିଶେ । ସେ ପରମହଂସ କଳାରଙ୍ଗର ସେହିପରି ରବର ପେଣ୍ଡୁକୁ ପାଟି ମଧ୍ୟରେ ପୂର୍ବରୁ ଯାକି ରଖିଥିଲା, ତୁମ ସାକ୍ଷାତରେ ତୁଣ୍ଡରୁ ବାହାର କଲାରୁ ତାହା ଫୁଲି ଶାଳଗ୍ରାମ ତୁଲ୍ୟ ଦୃଶ୍ୟ ହେଲା, ପୁଣି ତାହା ମୁହଁ ମଧ୍ୟରେ ପୁରେଇ କଳରେ ଯାକି ରଖିଲ, ପଶ୍ଚାତ୍‌ ବାହାର କରି ଗଣ୍ଠିର ମଧ୍ୟରେ ରଖିଥିବ । ଏହି ପ୍ରକାର ସୁତ୍ରରେ ସବୁ କୁହୁକ ହୁଏ । ବୁଝିଲ ?

ଶିବ

-

ହଁ ମହାରାଜ ! ବୁଝିଲୁଁ ।

ବାବାଜୀ

-

କୌଣସି ଧର୍ମରେ ତୁମର ବିଶ୍ୱାସ ହଉନାହିଁ, ସର୍ବକର୍ତ୍ତା ଈଶ୍ୱରଙ୍କଠାରେ ମତି ହଉନାହିଁ, ଅସମ୍ଭବ କଥାରେ ବିଶ୍ୱାସ ହଉଚି ଓ ଅଳିକ ଆମୋଦ ପ୍ରମୋଦରେ ମତି ରହିଚି, ବଡ଼ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ । (ଜେମ୍‌ସ ପ୍ରତି) ତୁମେ ହିନ୍ଦୁ ଧର୍ମର ସାର କଥାରେ ଅବିଶ୍ୱାସ କରି ସେ ଧର୍ମ ତ୍ୟାଗ କଲ, ମାତ୍ର ଅସାର କଥାରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ଅଜ୍ଞାନତା ଓ କୁସଂସ୍କାର ଲେଶ ମାତ୍ର ଯାଇନାହିଁ । ଜ୍ଞାନ, ଧର୍ମ ଶିକ୍ଷା କରି ମନୁଷ୍ୟ ଜନ୍ମ ସଫଳ କର । ଏଥିରେ ତୁମମାନଙ୍କର ପ୍ରକୃତ ମଙ୍ଗଳ ହେବ । ଆଚ୍ଛା, ବର୍ତ୍ତମାନ ଆସ । ତୁମର ଦଣ୍ଡବତୀ ଫେରି ନିଅ ।

ଶିବ

-

ଆପଣଙ୍କୁ ଦେଇଚୁଁ, ଆଉ କାହିଁକି ଫେରିନେବୁଁ ।

ବାବାଜୀ

-

ଟଙ୍କା କଉଡ଼ିରେ ଆମର କିଛି କାର୍ଯ୍ୟ ନ ଥାଏ, ଆମର ତା କଣ ହବ ? ତୁମର କିଛି କାର୍ଯ୍ୟରେ ଆସିପାରେ । ନିଷ୍ପ୍ରୟୋଜନରେ ଦବା ନବାର ଉଚିତ ନୁହେଁ । ଆମେ ନବୁ ନାହିଁ ତୁମେ ଫେରି ନିଅ ।

ଜେମସ୍

-

(ସ୍ୱଗତ) ବାବାଜୀ ତ ଆମ ପାଦିରି ସାହେବ ପରି ବୁଝେଇଲେ, କୁସଂସ୍କାର ବିଷୟରେ ସାହେବ ଯାହା କହନ୍ତି ତାହା ସତ ଅଟେ ।

ଶିବ ଓ ଜେମସ୍‌

-

(ପ୍ରଣାମି ଫେରିନେଇ) ଆଚ୍ଛା, ମହାରାଜ ! ଆମେ ଆସିଚୁଁ । ଦଣ୍ଡବତ ।

ବାବାଜୀ

-

ମଙ୍ଗଳ ହଉ, ଧର୍ମରେ ମତି ଓ ଈଶ୍ୱରଙ୍କ ଠାରେ ଭକ୍ତି ହଉ । (ଶିବ ଓ ଜେମସ୍‌ଙ୍କର ପ୍ରସ୍ଥାନ)

 

 

(ଆନନ୍ଦ ପୁଝାରୀର ପ୍ରବେଶ)

ବାବାଜୀ

-

କିରେ ବାବା, ପୁଣି କାହିଁକି ?

ପୁଝାରୀ

-

ମହାରାଜ ! ଆଜି ମୁଁ ବଡ଼ ଅପରାଧ କରିଚି, ଆପଣ ଆସିଲାବେଳୁଁ, ମୋ ମନ ଯେପରି ସନ୍ତାପିତ ହେଇଚି ତାହା ମୋ ମନଇ ଜାଣେ । ଆପଣଙ୍କୁ ଭୋଜନ ନ କରାଇଲେ ମୋ ମନ ସ୍ଥିର ହବ ନାହିଁ । ଠାକୁରଙ୍କର ପ୍ରସାଦ ଆଣିଚି, ଆପଣ ଅନୁଗ୍ରହ କରି ଏହା ଘେନା କରିବା ହଉନ୍ତୁ । ନ କଲେ ମୁଁ ଅତି ଦୁଃଖିତ ହେବ, ମରଣ ତୁଲ୍ୟ ତ ହବ, ଅଧିକ କଣ କହିବି ?

ବାବାଜୀ

-

ଆମ ପାଇଁ ପ୍ରସାଦ ଆଣିଚୁ । ଆଚ୍ଛା ଆଚ୍ଛା, ତୋର ଏପରି ସୁମତିରେ ଆମେ ଅତି ସନ୍ତୁଷ୍ଟ ହେଲୁଁ । କିନ୍ତୁ ଆମେ ତୋତେ ଗୋଟିଏ ଗୁପ୍ତ ପ୍ରସଙ୍ଗ ପଚାରିବା, ତୁ ସତ୍ୟ କହିବାର ପ୍ରତିଜ୍ଞା କଲେ ଆମେ ପ୍ରସାଦ ପାଇବା; ନଚେତ୍‌ ଗ୍ରହଣ କରିବା ନାହିଁ ।

ପୂଝାରୀ

-

ମହାରାଜ ! ମୁଁ ଯାହା ଜାଣୁଥିବି ଅବଶ୍ୟ କହିବି । ଆପଣ ଭୋଜନରେ ବସନ୍ତୁ । କଥାବାର୍ତ୍ତା ହବା, ଭୋଜନ ବେଳେ ଗପ ହେଲେ ବଡ଼ ସୁଖ ହୁଅଇ-

ବାବାଜୀ

-

ସତ, ଆଚ୍ଛା କଣ ଆଣିଚୁ ଆଣ୍‌ ।

 

 

(ବାବାଜୀ ଭୋଜନରେ ବସିଲାରୁ)

ପୂଝାରୀ

-

ଏ ସ୍ଥାନଟି ଅତି ଉତ୍ତମ, ବଡ଼ ନିରୋଳା, ଲୋକଙ୍କର ଅଧିକ ଗତାୟତ ନାହିଁ, ଆପଣଙ୍କୁ ଭଲ ହୋଇଥିବ ।

ବାବାଜୀ

-

ନାହିଁ ବାବା, ତୋରି ଯୋଗେ ଦୁଇ ଚାରି ଲୋକ ଆସି ଆମକୁ ବିରକ୍ତ କଲେଣି ।

ପୂଝାରୀ

-

ମୋ ଯୋଗେ କିପରି ମହାରାଜ !

ବାବାଜୀ

-

ତୁ ଉପହାସରେ ଆମର ମହିଁମା କଥା ଯାହା କହିଥିଲୁ, ଲୋକେ ତାହା ସତ ବୁଝି ଆମ ଠାକୁ ଆପଣା କାମନା ସିଦ୍ଧି ପାଇଁ ଆସିଥିଲେ । ଭଲା, ଏପରି ମିଥ୍ୟା କଥା କିପରି ରଟାଇ ଦେଲୁ-?

ପୂଝାରୀ

-

ମହାରାଜ ! ମୁଁ କାହାରିକୁ ଏ ପ୍ରସଙ୍ଗ କିଛି କହି ନାହିଁ । ଦାମା ସେ କଥା ଊଣା ଅଧିକରେ କାହାରିକୁ କହିଥିବ, ସେ ବ୍ୟକ୍ତି ତହିଁରେ ଆଉ କିଛି ବ୍ୟତିକ୍ରମ କରିଥିବ, ଏହି ପ୍ରକାରେ ସେ କଥା ସତ୍ୟ ପ୍ରାୟ ଉଠିଥିବ । ମୂର୍ଖ ଲୋକେ କୌଣସି କଥା ଠିକ୍‌ କରି ବୁଝିବେ ନାହିଁ ନା ଠିକ୍‌ କରି ବହିବେ ନାହିଁ । ଝାଡ଼ାବାନ୍ତି ରୋଗ ଉପସ୍ଥିତ ହେଲେ ନାନାଦି ଅସମ୍ଭବ କଥା ବାହାରେ, କାଳଶୀମାନେ ଠାକୁରାଣୀ ଲାଗିବାର ଛଟା କରି ନାନାଦି କଥା କହି ଆଚ୍ଛା ପଣେ ଉପାର୍ଜନ କରନ୍ତି ବା ମାନ୍ୟ ପାନ୍ତି । ଖଳ ଲୋକେ କିଛି ଲାଭାଶାରେ ବା କୌତୁକ ଦେଖିବା ପାଇଁ ନାନାଦି ଆଜ୍ଞା ପତ୍ରିକା ବାହାର କରନ୍ତି । ପ୍ରାୟ ସମସ୍ତେ ତହିଁରେ ବିଶ୍ୱାସ କରି ତଦନୁସାରେ କାର୍ଯ୍ୟ କରନ୍ତି । ଅଜ୍ଞ ଇତର ଲୋକଙ୍କ କଥା ତେଣିକି ଥାଉ, କେତେକ ବାବୁ ଭୟା ମଧ୍ୟ ଏସବୁ ମାନନ୍ତି, କିନ୍ତୁ ମୁଁ ମାନେ ନା । ମୁଁ ଦୁଷ୍ଟ ହେଲେ କଣ ହେଲା ? ମୋର ବୁଦ୍ଧି ଅଛି, ସାହସ ଅଛି ମୁଁ ମୁଦା ଧରି କେତେ କାଳଶୀଙ୍କୁ ଭଣ୍ଡୋର କରି ଦେଇଚି ।

ବାବାଜୀ

-

ଲୋକେ ଏପରି ଅବାଧ, ବଡ଼ ଦୁଃଖର ବିଷୟ । ବାବୁଙ୍କର ସବୁ କୁଶଳ ତ ?

ପୁଝାରୀ

-

ଆଜି ବାବୁଙ୍କର ଅନନ୍ତ ଶଯ୍ୟା କାଲିକୁ ଯେପରି ହବ । ଆଜି ସେ ନିଶ୍ଚିନ୍ତ, ଆମେ ନିଶ୍ଚିନ୍ତ-। ହଁ ସବୁ କୁଶଳ-

ବାବାଜୀ

-

ତୋର ଅନ୍ନଦାତାକୁ ଉପହାସ କରୁଚୁ !

ପୂଝାରୀ

-

ନାହିଁ ଉପହାସ କରୁ ନାହିଁ ଯେ । ମୁଁ କେତେବେଳେ କେମନ୍ତେ ଟିକିଏ ରଙ୍ଗରେ କଥା କହି ଦିଏଁ । ବାବୁଙ୍କ ସଙ୍ଗରେ ମଧ୍ୟ ଦୁଃଖ ସୁଖ ପଡ଼େ, ହସ କୌତୁକ ହୁଏ । ଆଚ୍ଛାବାବୁ, ଯେପରି ଗୁଣବନ୍ତ ସେହିପରି ଶାନ୍ତ ଓ ଦୟାବନ୍ତ, ରାଗ ଅହଙ୍କାର ଟିକିଏ ନାହିଁ । ଆପଣ କି ଗୁପ୍ତ କଥା ପଚାରିବାର କହୁଥିଲେ ?

ବାବାଜୀ

-

ସତ କହିବୁଟି କି କପଟ କରିବୁ ତ ନାହିଁ ?

ପୁଝାରୀ

-

ନାହିଁ ମହାରାଜ, କପଟ କରିବି ନାହିଁ । ଥରେ ହୁଡ଼ିଲି ବୋଲି କି ସବୁଥର ହୁଡ଼ିବି ? ଲୋକ ଦେଖି ବ୍ୟବହାର କରିବାକୁ ହୁଏ ନା ?

ବାବାଜୀ

-

‘‘ଲୋକ ଦେଖି ବ୍ୟବହାର କରିବାକୁ ହୁଏ’’ - ଏଥିର ଅର୍ଥ କଣ ?

ପୁଝାରୀ

-

ଭଲ ଲୋକ ସଙ୍ଗରେ ଭଲ ବ୍ୟବହାର, ମନ୍ଦ ଲୋକ ସହିତ ମନ୍ଦ ବ୍ୟବହାର । ଯେ ମୋର ମନ୍ଦ କଲା ମୁଁ ତାକୁ କାହିଁକି ଛାଡ଼ିବି ? ମୁଁ ମଧ୍ୟ ତାହାର ମନ୍ଦ କରିବି ।

ବାବାଜୀ

-

ନା, ନା, ଏହା ଉଚିତ୍‌ନୁହେଁ, ଯେଉଁ ବ୍ୟକ୍ତି ତୋହର ମନ୍ଦ କଲା, ସେ ଦୋଷୀ ହେଲା-। ସେ ତହିଁର ଦଣ୍ଡ ଇହକାଳ ବା ପରକାଳରେ ନିଶ୍ଚୟ ପାଇବ । ତୁ ଯେବେ ତାହାର ମନ୍ଦ କଲୁ ତୁ ମଧ୍ୟ ସେହିପରି ଦୋଷୀ ହେଲୁ, ସେହିପରି ଦଣ୍ଡ ପାଇବୁ । ତେବେ ତୋର ଲାଭ ହେଲା କଣ ? କାହାରି ପ୍ରତି ଅଯର୍ଥାର୍ଥ ବ୍ୟବହାର କରିବାର ଉଚିତ ନୁହେଁ ।

ପୁଝାରୀ

-

ସତ । ସେତେ ଜ୍ଞାନ ଆମର ହେବାରୁ ତ ଏପରି ଦଶା । ଗୁପ୍ତ କଥାଟି କଣ କହିବା ହେଉନ୍ତୁ ।

ବାବାଜୀ

-

ତୁ ଗାରୁଡ଼ି ବିଦ୍ୟା ଜାଣୁ ?

ପୁଝାରୀ

-

ହଁ ମହାରାଜ, ମୁଁ ଆଚ୍ଛା ଜାଣେ ।

ବାବାଜୀ

-

ହନୁସିଂହର ଭାର୍ଯ୍ୟାଠୁ ତୁ ଭୂତ ଛଡ଼ାଇଥିବାର ଆମେ ଶୁଣିଚୁଁ । ତହିଁର ପ୍ରକୃତ କଥା କହନି-?

ପୁଝାରୀ

-

ମହାରାଜ ! ‘‘ଷଟ୍ଟକର୍ଣ୍ଣ ମନ୍ତ୍ରଭେଦ’’ ଏପରି ନିଷେଧ ଅଛି ମୁଁ ତାହା କହିବି ନାହିଁ, ତାହା ପ୍ରକାଶ ହେଲେ ମୋ ବୃତ୍ତି ମରାଯିବ । ମୋ ଦୋଷ କ୍ଷମାକର ।

ବାବାଜୀ

-

ଆମେ ନିଶ୍ଚୟ କହୁଚୁଁ, ତୋ କଥା କଦାପି ପ୍ରକାଶ କରିବୁ ନାହିଁ । କାଲି ତ ଆମେ ଏଠାରୁ ଚାଲିଯିବା, କହିବା ଅବା କାହା ଆଗରେ ? ଗୁଣି ବୃତ୍ତିଟି ଠକ ବୃତ୍ତି, ଆମେ ଏହା ଜାଣୁ । ଏଥିଲାଗି ‘‘ଷଟ୍‌କର୍ଣ୍ଣ ମନ୍ତ୍ରଭେଦ’’ ନିଷେଧ ବିଧିଟି ହେଇଚି । ତୁ କିପରି ଠକୁ, ଏତିକି ଜାଣିବାର ଆମର ଇଚ୍ଛା । ତୁ ଯେବେ ପ୍ରତିଜ୍ଞା ଲଙ୍ଘନ କରିବୁ ତେବେ ଆମେ ଆଉ ଭୋଜନ କରିବୁ ନାହିଁ-

ପୁଝାରୀ

-

ମୁଁ କହୁଚି, ମହାରାଜ ଭୋଜନ କରନ୍ତୁ ଆପଣଙ୍କୁ ଦୋହି ପରମେଶ୍ୱରଙ୍କର, କଦାପି ପ୍ରକାଶ କରିବେ ନାହିଁ । ହନୁସିଂହର ଭାର୍ଯ୍ୟା ସଙ୍ଗେ ମୋର ପ୍ରଣୟ ଅଛି । ମୋର ନାମ ବାହାର ହବା ସକାଶେ ମୋହରି ଶିକ୍ଷାରେ ସେ ଛଟା କରିଥିଲା, ଗୁଣିମାନେ ଝାଡ଼ିଲା ବେଳକୁ ସେମାନଙ୍କ ଉପରେ ଚଢ଼ି ବସିଲା । ମୋର ଜଣେ ସଙ୍ଗୀ ଅଛି, ସଙ୍ଗୀ ନ ଥିଲେ ଗୁଣି ବିଦ୍ୟା ଭଲ ଚଳଇ ନାହିଁ । ସେ ହନୁସିଂହ ନିକଟରେ ମୋର ଭାରି ପ୍ରଶଂସା କରିବାରୁ ହନୁ ମୋତେ ଡାକିଲା । ମୁଁ ଯାଇଁ ତାହାର ଭାର୍ଯ୍ୟାକୁ ଝାଡ଼ିଲା ମାତ୍ରକେ ସେ ଭଲ ହୋଇଗଲା; ତହୁଁ ମୋର ନାମ ଖ୍ୟାତ ହେଲା । ଏବେ ଯୋଉଁଠି ଭୂତ ଲାଗୁଛି ଆଗେ ମୋତେ ଡାକରା ପଡ଼ୁଛି । ଭୂତ ତ ମିଛ, ସେମାନେ ଆପଣାର କିଛି ଅଭିପ୍ରାୟର ଛଟା କରିଥାନ୍ତି, କଟୁ ନାସରେ ଆୟତ ହୁଅନ୍ତି । ଛଟା ନଥିଲେ ବାତ ପିତ୍ତ ବା ଅନ୍ୟ କିଛି ରୋଗ ଥାଏ, ମାତ୍ର, ଏହା କ୍ୱଚିତ୍‌ଘଟେ ।

ବାବାଜୀ

-

ତେବେ ତୁହି ଭୂତ ହୋଇ ଲାଗିଲୁ, ତୁହି ଗୁଣିଆ ହୋଇ ଝାଡ଼ିଲୁ ? ଏତିକିରେ ତୋର ନାମ ବାହାରିଲା, ନା, ଆଉ କିଛି ଉପାୟ କରିଥିଲୁ ?

ପୂଝାରୀ

-

ଆଉ କିଛି କରିଥିଲି - ଜଣକୁ ତିନିଟଙ୍କା ଦେଇ କରଗତ କଲି । ଖଣ୍ଡେ ଭଙ୍ଗା ଛୁଞ୍ଚି, ନଖ ଓ ଚେରକୁ ବାଳରେ ଗୁଡ଼େଇ ତାକୁ ଦେଇ କହିଲି କି ଯେତେବେଳେ ମୋ ନିକଟରେ ଅନେକ ଲୋକ ଥିବେ ତୁ ତେତେବେଳେ ମୋଠାକୁ ଏହାକୁ ଘେନି ଆସି କହିବୁ-ପୂଝାରୀ ! ଆପଣ କାଲି ଯେ ପାଣି ମନ୍ତ୍ରି ହେଇଥିଲେ ସେ ପାଣି ପିଇବାର ଘଣ୍ଟାକରେ ବାନ୍ତି ହୋଇ ଔଷଧ ମୋ ପେଟରୁ ବାହାରି ପଡ଼ିଲା । ଆଜି ମୋ ଦେହ ବାର ପଣରେ ଭଲ ହେଇଚି, ମୁଁ ରୋଗ ବୁଝି କେତେ ଔଷଧ କଲି କିଛି ଧଇଲା ନାହିଁ । ଏହି କିମିଆ ତ ମୋତେ ଖାଉଥିଲା, ଔଷଧ ଗୁଣ କରନ୍ତା କୁଆଡ଼ୁ ? ମୋ ପ୍ରାଣ ଉପରେ ପଡ଼ିଥିଲା ଆପଣଙ୍କ ଯୋଗେ ପ୍ରାଣ ପାଇଲି । ଏହା କହି ମୋତେ ଟଙ୍କାଟିଏ ଦେଇ ଗୋଡ଼ତଳେ ପଡ଼ିବୁ, ବାକୀ ଦୁଇ ଟଙ୍କା ତୋହର । ସେ ଠିକ୍‌ଏହିପରି କଲା । ଦେଖିବା ଲୋକେ ଚକିତ ହୋଇ ମୋର ବଡ଼ ପ୍ରଶଂସା କଲେ, ମୋ ନାଁ ବାଜିଗଲା ।

ବାବାଜୀ

-

ଆଚ୍ଛା, ବଳି ମାହାନ୍ତି ଘରେ ଭୂତର ଉତ୍ପାତ ବୃତ୍ତାନ୍ତ କହିଲୁ ?

ପୂଝାରୀ

-

ବଳି ମାହାନ୍ତି ସଙ୍ଗେ ମାଗୁଣି ମାହାନ୍ତିର ଭାରି ବିବାଦ । ବଳି ଘରେ ଭୂତ ବା ବୀର ବାଉତୀର ଉତ୍ପାତ କରେଇବା ପାଇଁ ମାଗୁଣି ମୋତେ ଦଶ ଟଙ୍କା ଯାଚିଲା । ତହୁଁ ମୁଁ ବଳିର ଦାସୀକୁ କରଗତ କରି ତାହା ଦ୍ୱାରା ଓ ମୋହୋର ସଙ୍ଗୀ ଦ୍ୱାରା ତାହା ଘରେ ନାନାଦି ଉପଦ୍ରବ କରେଇଲି । ଏଥି ମଧ୍ୟରେ ମୋର କପାଳ ସୁଯୋଗକୁ ଦିନେ ରାତ୍ରରେ ବଳିର ବଡ଼ ପୁଅ ନିଦ ବାଉଳା ରୋଗରେ ଅଚେତନ ଅବସ୍ଥାରେ ଦୁଇ ପା ବାଟ ଚାଲିଯାଇ, ଗୋଟିଏ ଗାଡ଼ିଆରେ ପଡ଼ିଯିବାରୁ ତାହାର ଚେତନା ହେଲା । ଏ ରୋଗର ଲକ୍ଷଣ ଏହି ପ୍ରକାର, କିନ୍ତୁ ଲୋକେ ବୁଝିଲେ ଭୂତ ତାକୁ ଉଠେଇ ନେଇ ଗଡ଼ିଆରେ ମାଡ଼ି ଦେଲା । ବଳି ବଡ଼ କାତର ହୋଇ ମୋତେ ପନ୍ଦର ଟଙ୍କା ଯାଚିବାରୁ ଲୋକ ଦେଖିବାକୁ ପୂଜା କରି କୁକୁଡ଼ା ବଳି ଦେଲି । ଡାକ୍ତରଠାରୁ ଔଷଧ ମାଗିଆଣି ତାହାର ପୁଅକୁ ଖୁଆଇଲି, ସବୁ କ୍ଷାନ୍ତ ହୋଇଗଲା । ବିଟପୀ ସ୍ତ୍ରୀଙ୍କ ଯୋଗେ ମଧ୍ୟ ଏହିପରି ଭୂତ ବା ବୀରର ଉତ୍ପାତ ହୋଇଥାଏ । ଜଣେ ବଙ୍ଗାଳୀ ବ୍ରାହ୍ମଣୀ ଆପଣାର ମନ୍ଦ କାମନାର ସୁବିଧା ପାଇଁ ଜୀନ ଉତ୍ପାତ ଏପରି ଭଙ୍ଗିରେ ରଚନା କଲା ଯେ, ଭୟରେ ତାହାର ଘର ଲୋକେ ଜୀନ ସକାଶେ ଗୋଟିଏ ଘର ଛାଡ଼ି ଦେଲେ । ବର୍ଷେକାଳ ଏହିପରି ଚଳିଗଲା, ଦୈବୀ ଦିନେ ଜୀନ ଭୂତ (ବିଟ ପୁରୁଷ) ସେ ସ୍ତ୍ରୀର ସ୍ୱାମୀ ଦ୍ୱାରା ଧରାପଡ଼ିବାରୁ ଉତ୍ପାତ କ୍ଷାନ୍ତ ହେଲା ।

ବାବାଜୀ

-

ଆଉ କଣ ଜାଣୁ କହିଲୁ ?

ପୂଝାରୀ

-

ମୋର ତ ସବୁ ବିଦ୍ୟା ନେବ, ମୁଁ କରିବି କଣ ?

ବାବାଜୀ

-

ଆରେ, ଆମେ କାହିଁକି ତୋର ବିଦ୍ୟା ନେବା ? ଶୁଣିବାକୁ କୌତୁକ ଲାଗୁଚି, କହ କହ ।

ପୂଝାରୀ

-

ଏ ଦେଶରେ ଉତ୍ତମ ବଇଦ ନ ଥିବାରୁ ରୋଗ ବିଷୟରେ ଭାରି ଭ୍ରମ ଅଛି । ରକ୍ତପାତ ରୋଗରେ ରକ୍ତବାନ୍ତି ହେଲେ କିମ୍ବା କୌଣସି ବାତ ରୋଗରେ ଦେହରେ ଛୁଞ୍ଚି ମାଇଲା ପରି ଜଣାଗଲେ, ଲୋକେ ତାକୁ ବାଣ ସଂହାର ବୋଲି ବିଶ୍ୱାସ କରନ୍ତି । ବାତ ବା ମନ୍ଦାଗ୍ନି ରୋଗରେ ରୋଗୀ ଅତି କ୍ଷୀଣ ଓ ଦୁର୍ବଳ ହେଲେ ତାକୁ କେହି ସୁକ ମଦରଙ୍ଗା ବା କତରାଲଗା କିମିଆ କରିଥିବାର ଲୋକେ ମନେ କରନ୍ତି । କୌଣସି ରୋଗ ଚିହ୍ନା ନ ଗଲେ କିମ୍ବା ଚିକିତ୍ସା ଦୋଷରେ ଦେହ ବିକୃତଭାବ ଧଇଲେ ରୋଗୀକୁ କେହି କିଛି ଯାଦୁ ଟୁଣୀ କରି ଥିବାର ବିଶ୍ୱାସ ହୁଏ । ଏ ସ୍ଥଳେ ଆମର ଉପାୟ ହୁଏ । କୌ କୌ ସ୍ଥଳେ ଆମେ ରୋଗୀ ପେଟରୁ ଯାଦୁ ଔଷଧ ବାହାର କରି ଦେଖାଇ ଦେଉଁ ।

ବାବାଜୀ

-

ଏହା କି ପ୍ରକାର ହୁଏ ?

ପୂଝାରୀ

-

ଟିକିଏ ଚେର ଓ ନଖକୁ ବାଳରେ ଗୁଡ଼େଇ ପୂର୍ବରୁ ପାଟି ମଧ୍ୟରେ ଯାକି ରଖୁଁ-। କିଛି ପୂଜା କରି ରୋଗୀ ପେଟରେ ଛୋଟ ନଳଟିଏ ବସେଇ ମାଡ଼ି ଦେଉଁ ଓ ନଳ ଉଠେଇ ହଠାତ୍‌ ଫୁଙ୍କି ଦେଉଁ, ଫୁଙ୍କ ସହିତ ସେ କୃତ୍ରିମ ଓଷଧ ନଳ ମଧ୍ୟରେ ଯାଇ ତଳେ ପଡ଼େ । ଲୋକେ ବୁଝନ୍ତି ମନ୍ତ୍ରବଳରେ ଓଷଧ ପେଟରୁ ବାହାରି ପଡ଼ିଲା । କୌ କୌ ସ୍ଥଳେ କେବଳ ପୂଜା କରୁଁ, ଏଣେ ବଦ୍ୟ ଚିକିତ୍ସା ମଧ୍ୟ ହେଉଥାଏ । ଦୈବୀ କେହି କେହି ଭଲ ହେଲେ ଗୁଣୀର ନାମ ହୁଏ । ମାତ୍ର କେବଳ ଗୁଣୀ ଉପରେ ନିର୍ଭର କରି ଅନେକ ଲୋକ ମରା ପଡ଼ିଚନ୍ତି । କିନ୍ତୁ ଜଣେ ବାବୁଙ୍କୁ ମୁଁ ଭଲ କରିଚି । ତାଙ୍କୁ ଜ୍ୱର ରୋଗରେ ବଇଦ ଅତି ଗରମ ଓଷଧ ଖୁଆଇବାରୁ ଉଣାହେଲା ମାତ୍ର ଗରମ ଯୋଗେ ଅରୁଚି, କଣ୍ଠ ଶୁଷ୍କ, ଦେହର ଦାହ ଇତ୍ୟାଦିରେ ବାବୁ ଶଯ୍ୟାଗତ ହେଲେ । ବଇଦର ବୁଦ୍ଧି ବଣା ହେଲା । ସେ କହିଲା ନାଡ଼ିରେ ଜର ନାହିଁ, ଏ ସବୁ କିମିଆର ଫିସାଦ । ତହୁଁ ବାବୁ ମୋତେ ଡାକିଲେ । ମୁଁ ଗରମ କଥା ବୁଝି ପାରିଲି ମାତ୍ର ତାହା ପ୍ରକାଶ ନ କରି, ବାବୁଙ୍କୁ କାଟ ପାଣି ପିଆଇଲି । ମନ୍ତ୍ରାହଳଦୀ ଲଗାଇବାକୁ ଦେଲି ଓ ପୂଜା କଳଶ ଜଳରେ ସ୍ନାନ କରାଇଲି । ଏହି ଶୀତଳ ଉପଚାରରେ ବାବୁ ଭଲ ହେଲେ । ଆହାର ଦୋଷରେ ଅଜୀର୍ଣ୍ଣ ହେଲେ, ଭୋଜନରେ କାହାରି ମନ୍ଦ ଦୃଷ୍ଟି ହୋଇ ଥିବାର ଓ ବାଇ ଯୋଗେ ଅଥବା ଧାତୁ ଗୁଣେ ପ୍ରସବ ବେଦନା ଅଧିକ ହେଲେ ତାକୁ କେହି ବନ୍ଦି ଥିବାର ବିଶ୍ୱାସ ହୁଏ । ଏ ସ୍ଥଳେ ପାଣି ମନ୍ତ୍ରିଦେଉଁ, ପାଣିଯୋଗେ ଅବା ସ୍ୱଭାବରେ ଭଲ ହେଲେ ମନ୍ତ୍ରର ନାମ ହୁଏ । ସବୁ ମନ୍ତ୍ର ଏହି ପ୍ରକାର, ମାତ୍ର ସାପ ମନ୍ତ୍ର ମତେ କିଛି ଠିକ୍‌ବୋଧ ହୁଏ, କାରଣ ମୁଁ କେବେ କେବେ କେବଳ ମନ୍ତ୍ର ଯୋଗେ ବିଷ ଉତ୍ତାରିଚିଁ ।

ବାବାଜୀ

-

ନା ନା, ତାହା ମଧ୍ୟ ଠିକ୍‌ନୁହେଁ । ତହିଁର କଥା ତେବେ ତୁ ବୁଝି ନାହୁଁ । ଯେଉଁ ସ୍ଥଳରେ କେବଳ ମନ୍ତ୍ର ଯୋଗେ ବିଷ ଉତୁରେ, ସେ ସ୍ଥଳେ ଆଦୌ ବିଷ ନ ଥାଏ । ପୃଥିବୀରେ ସର୍ବ ସୁଦ୍ଧା ୨୬୫ ଜାତିର ସର୍ପ ଅଛନ୍ତି । ତହିଁ ମଧ୍ୟରେ କେବଳ ୫୮ ଜାତିର ବିଷ ଅଛି । ବାକୀ ସର୍ପର ବିଷ ନାହିଁ । ବିଷାକ୍ତ ସର୍ପ ମଧ୍ୟ କୁପିତ ନହୋଇ କାମୁଡ଼ିଲେ କିମ୍ବା ତାହାର ବିଷ ଦନ୍ତ ଝଡ଼ି ଯାଇଥିଲେ, ବିଷ ଚଢ଼ଇ ନାହିଁ । ଏପରି ଦଂଶନ ସ୍ଥଳେ କେବଳ ଭୟରେ ଦଂଶିତ ବ୍ୟକ୍ତିକୁ ବିଷ ଜ୍ୱାଳା ଜଣାଯାଏ ଓ କେହି କେହି ମୂର୍ଚ୍ଛା ହୋଇପଡ଼ନ୍ତି । ବ୍ରହ୍ମ ଚାପଡ଼ା, ଆଉଁସିବା, ଫୁଙ୍କ ଓ ପାଣି ଯୋଗେ ଭୟ ଭାଙ୍ଗେ ଓ ଚେତନା ହୁଏ କିନ୍ତୁ ମନ୍ତ୍ରର ନାମ ହୁଏ ।

ପୂଝାରୀ

-

ହଁ, ଏଇତା ହବ, ଠିକ୍‌କଥା । ମନ୍ତ୍ରର ବଳ ଥିଲେ ଝାଡ଼ୁ ଝାଡ଼ୁ ବିଷ ଚଢ଼ନ୍ତା ନାହିଁ, ନା କେହି ମରନ୍ତେ ନାହିଁ ।

ବାବାଜୀ

-

ଆଉ କଣ ଜାଣୁ ?

ପୂଝାରୀ

-

କଞ୍ଚା କଣିକୁ ଚିରି ଦୁଇ ଫାଳକୁ ଚିରା ପାଖ ଭିତରକୁ କରି ଦୁଇ ଜଣ ଦୁଇ ମୁଣ୍ଡ ଧଇଲେ ଦୁଇ ଫାଳ ଆପଣା ସୁଖେ ଟାଣି ହୋଇ ମଝିରେ ଲାଗିଯାଏ-। ସ୍ୱଭାବରେ ଏପରି ହୁଏ, କିନ୍ତୁ ମୁଁ ଏହା କେତେକ ଉପାୟରେ ପ୍ରୟୋଗ କଲେ ଲୋକେ ବୁଝନ୍ତି ମନ୍ତ୍ର ବଳରେ ଦୁଇ ଫାଳ ଲାଗିଯାଏ-। ମାମଲତକାରଠାରୁ ପୂଜା ଖର୍ଚ୍ଚ ନେଇ ମକଦ୍ଦମାର ଅବସ୍ଥା ଦୃଷ୍ଟିରେ ଡିଗ୍ରି ହେବାର ସମ୍ଭବ ଦିଶିଲେ, ଜୟ ହେବାର କହେଁ; ନଚେତ୍‌କିଛି କଷ୍ଟ ଲେଖିବାର କହେଁ । ଢାଲସୁପାରି ଲଢ଼େଇରେ ଯେତେ କାଣ୍ଡ ହୁଏ ସେ ସବୁ ଦୁଇ ଗୁଣୀଙ୍କ ଯୋଗ ସାଜସରେ ହୁଅଇ । ଜାଣିବା ବ୍ୟକ୍ତି ଯାହାପାଏ ତାହା ଦୁହେଁ ପଶ୍ଚାତ୍‌ ବାଣ୍ଟି ନିଅନ୍ତି । ଏହିପରି ମୁଁ ଯେତେ ଜାଣେ ସେ ସବୁ କହିଲେ ରାତି ପାହିଯିବ । ଆପଣ ତ ଜାଣନ୍ତି, ମନ୍ତ୍ର ଯୋଗେ ଭଲମନ୍ଦ କିଛି ହୋଇ ନପାରେ । ମୁଁ ଅଧିକ କଣ କହିବି । ଏତିକି କହୁଚି ଏହା ପ୍ରକାଶ କରି ମୋ ଦାନାରେ ଧୂଳି ଦେବେ ନାହିଁ ।

ବାବାଜୀ

-

କଳିକାଳର ବ୍ରାହ୍ମଣ ଗାୟତ୍ରୀ ଛାଡ଼ି ଗାରଡ଼ି ଶିଖିବାର କଥାଟି ଠିକ୍‌ ଅଟେ ।

ପୂଝାରୀ

-

ମୁଁ ଗାୟତ୍ରୀ ଶିଖି ନାହିଁ କି ?

ବାବାଜୀ

-

କଣ ଶିଖିଚୁ କହିଲୁ ?

ପୂଝାରୀ

-

ମହାରାଜ ! ଆପଣଙ୍କଠାରେ କଣ କପଟ କରିବି ? ଗାୟତ୍ରୀ ପଦେ ମନେ ପଡ଼ୁଚି, ପଦେ ମନେ ପଡ଼ୁ ନାହିଁ । ପିଲାଦିନେ ଗାୟତ୍ରୀ ଓ ପୂଜା ମନ୍ତ୍ରଗୁଡ଼ିଏ ଶିଖିଥିଲି, ବର୍ତ୍ତମାନକୁ ଅନେକ ପାସୋର ଗଲାଣି ।

ବାବାଜୀ

-

ତେବେ ଠାକୁର ପୂଜାକରୁ କିପରି ?

ପୂଝାରୀ

-

ମାର ତାଳି, ଉଠା ଥାଳି । ନାକ କାନ କାନ ଛୁଇଁ, ଘଣ୍ଟ ବଜେଇଲେ ହେଲା । ଠାକୁରଙ୍କୁ ବେଶ କରିଦେଲେ ଲୋକେ ଦେଖି ପ୍ରେମରେ ଗଡ଼ିଯାନ୍ତି, ମନ୍ତ୍ର କଥା କିଏ ବୁଝୁଚି ? ଅନେକ ପୂଝାରୀଙ୍କ ପୂଜା ଏହି ପ୍ରକାର ।

ବାବାଜୀ

-

ତୁ ବୃଦ୍ଧ ଠକଟିଏ । ହଁ, ‘‘ରଜା ଖାଏ ତଣ୍ଡି, କେଳା ଖାଏ ଭଣ୍ଡି ।’’

ପୂଝାରୀ

-

ମୁଁ ଠକ କିପରି ? ଗୁଣି ବ୍ୟବସାୟ ତ ଏହି ପ୍ରକାର, ମୁଁ ତ ଗୁରୁଠାରୁ ଏହିପରି ଶିକ୍ଷା ପାଇଚି । ଅନ୍ୟ ଲୋକ ପରି ଗୁଣି ବିଦ୍ୟାରେ ମୋର ବିଶ୍ୱାସ ଥିବାରୁ, ବୀର ସାଧନା କରିବାର ମୋର ବଡ଼ ଇଚ୍ଛା ହେଲା । ତହୁଁ ମୁଁ ଜଣେ ପ୍ରଧାନ ଗୁଣୀକୁ ଗୁରୁ କଲି । ସେ ମୋତେ ଏହି ପ୍ରକାର ଶିକ୍ଷାଦେଇ କହିଲେ ମନ୍ତ୍ର, ଭୂତ, ବୀର, ବାଉତୀ ସବୁ ମିଛ । ସେପରି ଲୋକଙ୍କୁ କହିବାକୁ ହୁଏ । ମୁଁ ତ ଏକା ନୁହେଁ । ସକଳ ଗୁଣୀଙ୍କର କାଣ୍ଡ ଉଣା ଅଧିକରେ ଏହି ପ୍ରକାର । ଆମେ ତ ବଳେ ବଳେ କାହାରିଠାକୁ ଯାଉ ନା, ଲୋକେ ଆମକୁ ନେହୁରା କରି ଡାକନ୍ତି । କଉଡ଼ି କଣ କାହାରିକୁ ପିତା ହୋଇଚି ?

ବାବାଜୀ

-

ଅଜ୍ଞାନତା, ଭ୍ରମ ଓ କୁସଂସ୍କାର ହେତୁ ଲୋକଙ୍କର ଗୁଣି ବିଦ୍ୟାରେ ବିଶ୍ୱାସ ଥିବାରୁ ସେମାନେ ଗୁଣୀଙ୍କୁ ନେହୁରା କରନ୍ତି, ନଚେତ୍‌ପଚାରନ୍ତେ ନାହିଁ । ତୁ ଯେବେ ଜାଣିଶୁଣି ସେମାନଙ୍କୁ ଭଣ୍ଡିଲୁ ତେବେ ତୁ ଠକ ହେଲୁ ନାହିଁ?

ପୂଝାରୀ

-

ଏକ ପ୍ରକାର ହେଉଚି ।

ବାବାଜୀ

-

ଏ ବୃତ୍ତି ଛାଡ଼ି ଦେଲେ ମୋ ନିର୍ବାହ ଚଳିବ କିପରି ? ବାବୁଙ୍କଠାରୁ ଦେଢ଼ଟଙ୍କା ଦରମାହା ପାଏଁ । ସେଥିରେ କି ମୋ କୁଟୁମ୍ବ ପୋଷା ଯିବେ ? ଆପଣ ସିନା ତିନି ଦଉଡ଼ି କାଟି ଦେଇ ବସିଚନ୍ତି । ମୋ ବେକରେ ପାଞ୍ଚ ପ୍ରାଣୀ ବନ୍ଧା ।

ବାବାଜୀ

-

ତେବେ କିଛି ସଦୁପାୟ କରି କଉଡ଼ି ଉପାର୍ଜ୍ଜନ କର, ଅସତରେ ରହନା ।

ପୂଝାରୀ

-

ବୁଝିଲ ନାହିଁକି ମହାରାଜ ! ଯେ ସତରେ ରହିଲା, ସେ ମରା ପଡ଼ିଲା । ଯେ ଅସତ୍‌ରେ ରହିଲା, ତାହାର କଉଡ଼ି ମାଡ଼ି ଗଲା ।

ବାବାଜୀ

-

ନା ନା, ଏହା ବଡ଼ ଭ୍ରମ ଅଟେ । ସତରେ ପଣେ ଭଲ, ଅସତ୍‌ରେ କାହାଣେ ଭଲ ନୁହେଁ-। ‘‘ଅସତ୍‌ଧନ ଫଳେ ବହୁତ, ଯିବା ବେଳେ ଯାଏ ମୂଳ ସହିତ-।’’

ପୂଝାରୀ

-

ତାହା ମୁଁ ଜାଣେ ନାହିଁକି ? ସେ ତ ପଛର କଥା, ବର୍ତ୍ତମାନକୁ ଲୋଭ ସମ୍ଭାଳିବାର କଠିଣ, ପୁଣି ମୁଁ ଜାତିରେ ବ୍ରାହ୍ମଣ ।

ବାବାଜୀ

-

ତେବେ ଲୋଭଇ ତୋ ବେକରେ ବନ୍ଧା, ପାଞ୍ଚପ୍ରାଣୀ ନୁହେଁ । ଅଚ୍ଛା କି ଇଚ୍ଛାରେ ତୋର ଲୋଭ ହୁଏ ?

ପୂଝାରୀ

-

କିପରି ପଣେ ଲାଭ କରି ସୁଖରେ ରହିବି, ଏହି ମୋହର ଇଚ୍ଛା ।

ବାବାଜୀ

-

ଏ ଇଚ୍ଛା ମନ୍ଦ ନୁହେଁ ବରଂ ଗୃହୀଙ୍କ ପକ୍ଷରେ ଏହା ଉଚିତ । କିନ୍ତୁ ଅନ୍ୟାୟ ରୂପେ ଲାଭ କରିବାର ଉଚିତ ନୁହେଁ । କଥାରେ କହନ୍ତି ‘‘ଅନ୍ୟାୟରେ କଡ଼ାଏ ନେଲେ କାହାଣେ ନଷ୍ଟ ହୁଏ ।’’ ଅତଏବ ପରକୁ ଠକିଲେ ଲାଭ ନାହିଁ, କେବଳ ଅଲାଭ । ମିଥ୍ୟା, ପ୍ରବଞ୍ଚନା, ଅପହରଣ ଇତ୍ୟାଦି ଅସତ୍‌ ଉପାୟରେ ଅର୍ଥ ଲାଭ ହୁଏ ସତ, କିନ୍ତୁ ପରିଶେଷେ ସେ ସବୁରୁ ଅନେକ ଅନର୍ଥ ଜାତ ହୁଏ-। ସେ ସବୁ ପାପ ଅଟେ, ପାପର ଅଳିକ ସୁଖ କ୍ଷଣ କାଳର କିନ୍ତୁ ତହିଁର ଅସୀମ ଅସୁଖ କାଳ କାଳର । ଯଦି ଲାଭ ଓ ସୁଖର ଇଚ୍ଛା ଅଛି ତେବେ ଯେପରି ଇହକାଳ ଓ ପରକାଳରେ ଲାଭ ଓ ସୁଖ ହୁଏ ସେପରି କରିବାର ଉଚିତ । ସଂସାର କେତେ କାଳର ? ତୁ ଗୁଣିବ୍ୟବସାୟରେ କେତେକାଳ ଆଉ ରହୁଥିବୁ । ‘‘ନାନୃତାତ୍‌ପାତେଙ୍କ ପରଂ’’ । ଅତଏବ ମିଥ୍ୟାରୁ ବଳି ପାତକ ନାହିଁ । ଏ ସବୁ ଛାଡ଼ି ଦେଇ ପରିଶ୍ରମ ଓ ଯତ୍ନ କଲେ ସଦୁପାୟରେ ଯଥେଷ୍ଟ ଉନ୍ନତି ଓ ଧନ ଅର୍ଜନ ହୋଇପାରେ ।

ପୂଝାରୀ

-

ହଁ । ଏହା ଠିକ୍‌କଥା, ଦେଖି ଯେମନ୍ତେ ହବ । ଆପଣଙ୍କଠାରୁ ଅନେକ ଜ୍ଞାନ ପାଇଲାଇଁ ।

 

---: ସମାପ୍ତ :---